ଭୁଲ୍ ସ୍ବୀକାର କଲା ଏକ୍ସ
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ, ଗ୍ରୋକ୍ ଏଆଇ ସହିତ ଜଡିତ ଅଶ୍ଳୀଳ ବିଷୟବସ୍ତୁ ବିବାଦ ସମ୍ପର୍କରେ ନିଜର ଭୁଲ ସ୍ୱୀକାର କରିଛି। ଏଆଇ ଟୁଲ୍ ଗ୍ରକର ଅପବ୍ୟବହାର ନେଇ ଚାଲିଥିବା ବିବାଦ ପରିପ୍ରେକ୍ଷୀରେ ନିଜର ତ୍ରୁଟି ସଂଶୋଧନ କରିଛି ଏକ୍ସ। ସରକାରୀ ସୂତ୍ର ଅନୁସାରେ ପ୍ରାୟ ୩ ହଜାର ୫୦୦ କଣ୍ଟେଣ୍ଟକୁ ଏକ୍ସ ବ୍ଲକ କରିଥିବାବେଳେ ୬୦୦ରୁ ଅଧିକ ଆକାଉଣ୍ଟକୁ ଡିଲିଟ କରିଛି। ଭାରତୀୟ ଆଇନ ଉଲ୍ଲଂଘନ କାରଣରୁ ଏହି ପଦକ୍ଷେପ ନିଆଯାଇଛି। ଭବିଷ୍ୟତରେ ଅଶ୍ଳୀଳ କଣ୍ଟେଣ୍ଟକୁ ଅନୁମତି ଦିଆଯିବ ନାହିଁ ବୋଲି କହିଛି ଏକ୍ସ।
ସରକାରଙ୍କ କଠୋରତା ପରେ, ଏକ୍ସ ବିଷୟବସ୍ତୁ ନିୟନ୍ତ୍ରଣକୁ ଆହୁରି ସୁଦୃଢ଼ କରିବାକୁ ପ୍ରତିଶ୍ରୁତି ଦେଇଛି। ଅନଲାଇନ୍ ପର୍ଣ୍ଣୋଗ୍ରାଫି ଏବଂ ମହିଳାମାନଙ୍କୁ ଟାର୍ଗେଟ କରିବା ବିଷୟରେ ବଢ଼ୁଥିବା ଚିନ୍ତା ମଧ୍ୟରେ ଏହି ପଦକ୍ଷେପ ନିଆଯାଇଛି।
ଭାରତ ସରକାର ଏକ୍ସର ଏଆଇ ଉପକରଣ, ଗ୍ରୋକ୍ ମାଧ୍ୟମରେ ଅଶ୍ଳୀଳ ଏବଂ ଆପତ୍ତିଜନକ ବିଷୟବସ୍ତୁ ପ୍ରସାରଣ ଉପରେ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି। ସରକାରୀ ଏଜେନ୍ସି ଗୁଡ଼ିକ କହିଛନ୍ତି ଯେ ଗ୍ରୋକ୍ କେବଳ ନକଲି ପ୍ରୋଫାଇଲ୍ ତିଆରି କରିବା ପାଇଁ ନୁହେଁ, ବରଂ ଅନଲାଇନ୍ ମହିଳାମାନଙ୍କୁ ହଇରାଣ ଏବଂ ଟାର୍ଗେଟ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଉଥିଲା। ଏ ସମ୍ପର୍କରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଥିଲେ ଏବଂ ଏକ୍ସ ଠାରୁ ରିପୋର୍ଟ ମାଗିଥିଲେ।
ଗ୍ରୋକ୍ ହେଉଛି ଏକ ଏଆଇ ଚାଟବଟ୍ । ଯାହାକୁ ନିଜେ ଏଲନ ମସ୍କଙ୍କ କମ୍ପାନୀ ଏକ୍ସଏଆଇ ପ୍ରସ୍ତୁତ କରିଥିଲା । ଏହାକୁ ଇନଷ୍ଟଲ୍ କରାଯାଇ ବ୍ୟବହାର କରିହେବ । ୟୁଜରମାନେ ଟେକ୍ସଟ୍ କମାଣ୍ଡ କିମ୍ବା ଭଏସ ପ୍ରମ୍ପଟ୍ ସାହାଯ୍ୟରେ ନିଜ କାମ କରିପାରିବେ । ନିକଟରେ ଗ୍ରୋକ୍ ଏଆଇ ଦ୍ୱାରା ଅନେକ ଅଶ୍ଲୀଳ କଣ୍ଟେଣ୍ଟ୍ ଏଡିଟିଂ କରାଯାଇଥିଲା ।
Powered by Froala Editor