ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ, ବିଛାଯିବ ୩୪୦ କିଲୋମିଟର ଦୀର୍ଘ ପାଣି ପାଇପ୍ଲାଇନ୍
ଭୁବନେଶ୍ବର: ସମ୍ବଲପୁର ସହରବାସୀଙ୍କ ଦୀର୍ଘଦିନର ପିଇବା ପାଣି ସମସ୍ୟାକୁ ଦୃଷ୍ଟିରେ ରଖି ସମ୍ବଲପୁର ସହର ବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଉଦ୍ଦେଶ୍ୟରେ ୪୫୧ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟରେ ଏକ ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭିତ୍ତିପ୍ରସ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ।
ସୂଚନାଯୋଗ୍ୟ ଯେ ଏହି ପ୍ରକଳ୍ପ ଅଧୀନରେ ସମ୍ବଲପୁର ସହର ମଧ୍ୟରେ ପ୍ରାୟ ୩୪୦ କିଲୋମିଟର ଦୀର୍ଘ ପାଣି ପାଇପ୍ଲାଇନ୍ ବିଛାଯିବ। ସେଥିପାଇଁ ଗୋଟିଏ Intake Well ଓ ଦୁଇଟି ଆଧୁନିକ Water Treatment Plant ନିର୍ମାଣ କରାଯିବ। ସମ୍ବଲପୁର ପଟେ ୬୫ MLD ଏବଂ ବୁର୍ଲା ପଟେ ୩୫ MLD କ୍ଷମତାର ଦୁଇଟି ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପିତ ହେବ।
ଏହି ଅବସରରେ ଗଣମାଧ୍ୟମକୁ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହା ପ୍ରକଳ୍ପ ମାଧ୍ୟମରେ ଦିନକୁ ମୋଟ ୧୦୦ ମିଲିଅନ୍ ଲିଟର ପାନୀୟ ଜଳ ଉପଲବ୍ଧ ହେବ। ଏହି ବୃହତ ପ୍ରକଳ୍ପ ଦ୍ବାରା ସମ୍ବଲପୁର ସହରର ୪୧ଟି ୱାର୍ଡର ପ୍ରାୟ ୫ ଲକ୍ଷ ଜନସାଧାରଣ ଉପକୃତ ହେବେ। ଖରାଦିନରେ ସହରରେ ଦିନକୁ ପ୍ରାୟ ୩୦ ମିଲିଅନ୍ ଲିଟର, ଅର୍ଥାତ୍ ଦିନକୁ ୩ କୋଟି ଲିଟର ପାଣିର ଅଭାବ ହେଉଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ପାନୀୟ ଜଳ ସମସ୍ୟାର ସମାଧାନ ହେବା ସହିତ ସହରବାସୀ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ସୁବିଧା ପାଇପାରିବେ।
ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ, ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନାଉରି ନାଏକ, ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦାର ପ୍ରମୁଖ ଉପସ୍ଥିତ ଥିଲେ।
Powered by Froala Editor