ସମ୍ବଲପୁରରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ବିକଳ୍ପ ଜାତୀୟ ରାଜପଥ ନିର୍ମାଣ ପାଇଁ ଧମେନ୍ଦ୍ରଙ୍କ ପ୍ରସ୍ତାବ
ନୂଆଦିଲ୍ଲୀ: ସମ୍ବଲପୁରରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ବିକଳ୍ପ ଜାତୀୟ ରାଜପଥ ନିର୍ମାଣ ପାଇଁ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ପ୍ରସ୍ତାବ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଓଡ଼ିଶାର ଶିଳ୍ପ ସମୃଦ୍ଧ ପଶ୍ଚିମାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଏହି ବିକଳ୍ପ ରାସ୍ତାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଛନ୍ତି। ସମ୍ବଲପୁର ଓ ଝାରସୁଗୁଡ଼ା ମଧ୍ୟରେ ଶିଳ୍ପ କରିଡ଼ର ସହ ବଢୁଥିବା ଗାଡ଼ି ମୋଟର ଭିଡ଼ ତଥା ଭାରୀଯାନ ଚଳାଚଳକୁ ଦୃଷ୍ଟିରେ ରଖି ଏହି ନୂତନ ରାଜପଥର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ ଦର୍ଶାଇଛନ୍ତି। ପଶ୍ଚିମ ଓଡ଼ିଶାର ଅର୍ଥନୀତିରେ ଏକ ନୂତନ ଯୁଗର ଆରମ୍ଭ ହେବ ବୋଲି ଆଶା କରାଯାଉଛି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଏହି ପ୍ରସ୍ତାବକୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ସକାରାତ୍ମକ ଭାବେ ଗ୍ରହଣ କରିଛନ୍ତି।
ସୂଚନାଯୋଗ୍ୟ, ସମ୍ବଲପୁରର ଭିତ୍ତିଭୂମି ପାଇଁ ପୂର୍ବରୁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଛନ୍ତି। ସମ୍ବଲପୁର ସହରର ଟ୍ରାଫିକ ସମସ୍ୟା ଦୂର ପାଇଁ ପ୍ରାୟ ୩୭୪ କୋଟି ଟଙ୍କା ବ୍ୟୟରେ ୬-ଲେନ୍ ବିଶିଷ୍ଟ ସାଢ଼େ ୩ କିଲୋମିଟର ଦୀର୍ଘ ଫ୍ଲାଏଓଭର ମଞ୍ଜୁର ହୋଇଛି। ଏଥିିସହିତ ଭାରତମାଳା ପ୍ରକଳ୍ପ ଅଧୀନରେ ସମ୍ବଲପୁର ନେକ୍ଲେସ୍ ରିଂରୋଡ ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନଏଚଏଆଇ) ପ୍ରାୟ ୧,୦୮୬ କୋଟି ଟଙ୍କା ବ୍ୟୟରେ ୩୫ କିମି ଲମ୍ବର ଏକ ନୂତନ ୪-ଲେନ୍ ବାଇପାସ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ କରିଛି।
Powered by Froala Editor