ଦୁର୍ଘଟଣାରେ ସାମ୍ବାଦିକାଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟସ୍ଥ ଜମାଲପୁର ଛକରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ମଙ୍ଗଳବାର ଏକ ଘରୋଇ ବସ୍ ସ୍କୁଟିକୁ ଧକ୍କା ଦେଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ମହିଳା ସାମ୍ବାଦିକଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ସାମ୍ବାଦିକଙ୍କ ନାମ ଶୀଲା ପଟ୍ଟନାୟକ । ପୁଲିସ ଶୀଲାଙ୍କୁ ତାଙ୍କ ପ୍ରେସ୍ ପରିଚୟପତ୍ରରୁ ଚିହ୍ନଟ କରିଛି।
କାର୍ଯ୍ୟରତ ସାମ୍ବାଦିକାଙ୍କ ଅକାଳ ବିୟୋଗକୁ ନେଇ ଏକ୍ସରେ ପୋଷ୍ଟ କରି ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଶିଲା ପଟ୍ଟନାୟକଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ।
ରିପୋର୍ଟ ଅନୁସାରେ,ମହିଳା ସାମ୍ବାଦିକ ଏକ ସ୍କୁଟିରେ ଭୁବନେଶ୍ୱରରୁ ପୁରୀ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା। ସ୍କୁଟିର ଚକ ରାସ୍ତାରେ ଥିବା ଏକ ବାଲି ଗଦା ଯୋଗୁ ସ୍ଲିପ୍ ହୋଇଥିଲା। ଫଳରେ ସ୍କୁଟି ତଳେ ପଡ଼ିଯାଇଥିଲା। ସେହି ସମୟରେ ପଛ ପଟୁ ଆସୁଥିବା ଏକ ବସ୍ ସ୍କଟିକୁ ଧକ୍କା ଦେଇଥିଲା।
ଦୁର୍ଘଟଣା ଏତେ ଗୁରୁତର ଥିଲା ଯେ, ସ୍କୁଟିଟି ପ୍ରାୟ ୨୦ ମିଟର ଟାଣି ହୋଇଯାଇଥିଲା। ଫଳସ୍ୱରୂପ, ଶୀଲାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ବିୟୋଗରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଗଭୀର ଶୋକବ୍ୟକ୍ତ କରିଛନ୍ତି । ସାମ୍ବାଦିକତାକୁ ପେଷା ଭାବେ ଆପଣାଇଥିବା ସ୍ୱର୍ଗତଃ ପଟ୍ଟନାୟକ, ଓଡ଼ିଆ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଓଡ଼ିଆ ସାମ୍ବାଦିକତାରେ ସ୍ୱର୍ଗତଃ ପଟ୍ଟନାୟକଙ୍କ ଅବଦାନ ସର୍ବଦା ଚିରସ୍ମରଣୀୟ ହୋଇରହିବ । ତାଙ୍କ ବିୟୋଗ ସାମ୍ବାଦିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମନମୋହନ କହିଛନ୍ତି ।
Powered by Froala Editor