ସହରକୁ ସ୍ୱଚ୍ଛ ରଖିବା କେବଳ ପ୍ରଶାସନିକ କିମ୍ବା ସାମାଜିକ ସଂଗଠନର କାର୍ୟ୍ୟ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କ ନୈତିକ ଦାୟିତ୍ୱ: ଧର୍ମେନ୍ଦ୍ର
ଅନୁଗୁଳ: ଅନୁଗୁଳର ମ୍ୟୁନିସପାଲିଟି ଛକରେ 'ସ୍ୱଚ୍ଛ, ସୁନ୍ଦର ଓ ସବୁଜ ଅନୁଗୁଳ' କାର୍ୟ୍ୟକ୍ରମ ଆୟୋଜିତ। ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ପରିବେଶକୁ ସ୍ୱଚ୍ଛ ରଖିବାର ମହତ ବାର୍ତ୍ତା ଦେଇଛନ୍ତି । ଏହି ଅବସରରେ ସେ ଅନୁଗୁଳ ପୌର ପରିଷଦ ଅନ୍ତର୍ଗତ ପ୍ରାୟ ୨୭.୬୩ କୋଟି ଟଙ୍କାର ୩୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।
କେନ୍ଦ୍ର ସରକାରଙ୍କ "ସ୍ୱଚ୍ଛ ସର୍ବେକ୍ଷଣ - ମୋ ସହର, ମୋ ପରିଚୟ ୨୦୨୫-୨୬" କାର୍ୟ୍ୟକ୍ରମ ଉପରେ ଆଲୋକପାତ କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ସ୍ୱଚ୍ଛ ଭାରତ ଅଭିଯାନ’ ଆଜି ଏକ ବିଶାଳ ଜନ ଆନ୍ଦୋଳନରେ ପରିଣତ ହୋଇଛି । ସହରକୁ ସ୍ୱଚ୍ଛ ରଖିବା କେବଳ ପ୍ରଶାସନିକ କିମ୍ବା ସାମାଜିକ ସଂଗଠନର କାର୍ୟ୍ୟ ନୁହେଁ, ବରଂ ଏହା ପ୍ରତ୍ୟେକ ନାଗରିକଙ୍କ ନୈତିକ ଦାୟିତ୍ୱ । ଆମେ ସମସ୍ତେ ମିଶି ଯଦି ଗୋଟିଏ ପାଦ ଆଗକୁ ବଢାଇବା, ତେବେ ଆମ ସହର ସ୍ୱଚ୍ଛ ଓ ସୁନ୍ଦର ହୋଇପାରିବ । ଯେପରି ଆମେ ନିଜ ଘରକୁ ସଫା ରଖୁ, ସେହିଭଳି ରାସ୍ତାଘାଟ ଓ ସାର୍ବଜନୀନ ସ୍ଥାନକୁ ସ୍ୱଚ୍ଛ ରଖିବାକୁ ପଡ଼ିବ।
ଆଜିର ଅବସରରେ ବିଦ୍ୟୁତ, ପରିମଳ, ଶିକ୍ଷା ଓ ମହିଳା ଓ ଶିଶୁ କଲ୍ୟାଣ ସମେତ ବିଭିନ୍ନ କ୍ଷେତ୍ରରେ ପ୍ରାୟ ୨୭.୬୩ କୋଟି ଟଙ୍କାର ୩୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ଡିଏମଏଫ ପାଣ୍ଠିରୁ ବିନିଯୋଗ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ଅଞ୍ଚଳର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଜନସାଧାରଣଙ୍କ ଜୀବନଶୈଳୀରେ ବ୍ୟାପକ ସୁଧାର ଆଣିବ ବୋଲି ସେ କହିଛନ୍ତି।
Powered by Froala Editor