ଯୁବପିଢ଼ି ହେଉଛନ୍ତି ପ୍ରଗତିର ରଥୀ ଏବଂ ଆଗାମୀ ଭବିଷ୍ୟତର ନିର୍ମାତା: ସୂର୍ଯ୍ୟବଂଶୀ ସୂରଜ
ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ‘ରାଜ୍ୟ ଯୁବ ମହୋତ୍ସବ ୨୦୨୫’ ମହାସମାରୋହରେ ଉଦ୍ଘାଟିତ ହୋଇଯାଇଛି। ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ଓଡ଼ିଶାର ଯୁବ ସମାଜ ମଧ୍ୟରେ ଉତ୍ସାହ, ସୃଜନଶୀଳତା ଏବଂ ନୂତନ ଜାଗରଣ ସୃଷ୍ଟି କରିବା ଲକ୍ଷ୍ୟରେ ଆୟୋଜିତ ଏହି ଉତ୍ସବରେ ସାରା ଓଡ଼ିଶାର କୋଣ ଅନୁକୋଣରୁ ଯୁବ ପ୍ରତିଭାମାନେ ଏକତ୍ରିତ ହୋଇଛନ୍ତି।
ଏହି ଅବସରରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ଯେ, ଓଡ଼ିଶାର ଯୁବପିଢ଼ି କେବଳ ପରିବର୍ତ୍ତନର ସାକ୍ଷୀ ହେବେ ନାହିଁ, ବରଂ ସେମାନେ ଏହି ପରିବର୍ତ୍ତନର ନେତୃତ୍ୱ ନେବେ। ଚଳିତ ବର୍ଷର ମହୋତ୍ସବ ‘ପ୍ରଗତିର ସାରଥୀ, ଆମ ଯୁବଶକ୍ତି’ ବିଷୟବସ୍ତୁ (ଥିମ୍) ଉପରେ ଆଧାରିତ। ସେ କହିଛନ୍ତି ଯେ, ଯୁବପିଢ଼ି ହେଉଛନ୍ତି ପ୍ରଗତିର ରଥୀ ଏବଂ ଆଗାମୀ ଭବିଷ୍ୟତର ନିର୍ମାତା। ‘ବିକଶିତ ଭାରତ ୨୦୪୭’ର ସ୍ୱପ୍ନକୁ ସାକାର କରିବା ପାଇଁ ଯୁବବର୍ଗଙ୍କ ଅଭିନବ ଚିନ୍ତାଧାରା ଓ ନୂତନତ୍ୱ ପ୍ରମୁଖ ଭୂମିକା ଗ୍ରହଣ କରିବ।
ଏହି ୩ ଦିନିଆ ମହୋତ୍ସବରେ ରାଜ୍ୟର ୩୦ଟି ଜିଲ୍ଲାରୁ ପ୍ରାୟ ୮୦୦ ରୁ ଅଧିକ ପ୍ରତିଭାବାନ ଯୁବକଯୁବତୀ ଅଂଶଗ୍ରହଣ କରିଛନ୍ତି। ଏହି ମହୋତ୍ସବରେ ବିଭିନ୍ନ ବିଭାଗ ଯଥା ବକ୍ତୃତା, କବିତା ଲିଖନ, ଗଳ୍ପଲିଖନ, ଲୋକନୃତ୍ୟ, ଲୋକଗୀତ,ଚିତ୍ରକଳା ଆଦିରେ ପ୍ରତିଯୋଗିତା ଆୟୋଜିତ ହେଉଛି।
ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବରେ ଅନୁଷ୍ଠିତ ହେଉଥିବା ପ୍ରତିଯୋଗିତାରେ ବିଜୟୀ ପ୍ରତିଭାମାନେ ଆସନ୍ତା ୨୦୨୬ ଜାନୁଆରୀ ମାସରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ‘ଜାତୀୟ ଯୁବ ମହୋତ୍ସବ’ ବା ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ" (Viksit Bharat Young Leaders Dialogue) ରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବେ।
ଆଜିର କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବ ସେବା ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀଯୁକ୍ତ ସଚିନ ରାମଚନ୍ଦ୍ର ଯାଦବ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। କ୍ରୀଡ଼ା ନିର୍ଦ୍ଦେଶକ ଡ଼ା. ୟେଦୁଲା ବିଜୟ ଏବଂ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ କୁମାର ସ୍ୱାଇଁ, ଶ୍ରୀ ଅଶୋକ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଯୁବପିଢ଼ିଙ୍କ ଅଦମ୍ୟ ଉତ୍ସାହ ଓ ପ୍ରତିଭାର ପରିପ୍ରକାଶ ପାଇଁ ଏହି ମହୋତ୍ସବ ଏକ ସଶକ୍ତ ମାଧ୍ୟମ ସାଜିବ ବୋଲି ସାଧାରଣରେ ମତ ପ୍ରକାଶିତ ହୋଇଛି।
Powered by Froala Editor