ରୁଷ ସେନାରେ ଯୋଗ ଦେବା ବାଧ୍ୟ କରାଯାଉଛି
ରୁଷିଆ ଏବଂ ୟୁକ୍ରେନ ଦୀର୍ଘ ସମୟ ଧରି ଯୁଦ୍ଧ ଚାଲିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରାମ ପାଇଁ ମଧ୍ୟସ୍ଥତା ପାଇଁ ପ୍ରୟାସ ଜାରି ରହିଛି। ଗୁଜରାଟର ଜଣେ ଯୁବକଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଛାତ୍ରଙ୍କ ନାମ ସାହିଲ ମହମ୍ମଦ ହୁସେନ। ସେ ବର୍ଣ୍ଣନା କରିଛନ୍ତି, ରୁଷ ସେନାରେ ଯୋଗ ଦେବା ପାଇଁ କିଭଳି ବାଧ୍ୟ କରାଯାଉଛି ଓ ପାଠ ପଢିବାକୁ ଯାଇଥିବା ଛାତ୍ରଙ୍କୁ କିଭଳି ଅକଥନୀୟ ନିର୍ଯାତନା ଦିଆଯାଉଛି | ସେ ଭାରତ ସରକାରଙ୍କୁ ତାଙ୍କୁ ମୁକୁଳାଇବା ପାଇଁ ଆକୁଳ ନିବେଦନ ମଧ୍ୟ କରିଛନ୍ତି ।
ଛାତ୍ରଙ୍କ କହିବା କଥା ଯେ ସେ ପଢିବା ପାଇଁ ରୁଷ ଯାଇଥିଲେ, କିନ୍ତୁ ତାଙ୍କୁ ବଳପୂର୍ବକ ରୁଷ ସେନାରେ ଭର୍ତ୍ତି କରାଯାଇ ୟୁକ୍ରେନ ସୀମାକୁ ପଠାଯାଇଥିଲା। ଯେତେବେଳେ ସେ ପ୍ରତିବାଦ କଲେ, ତାଙ୍କୁ ମିଥ୍ୟା ଅଭିଯୋଗରେ ଧମକ ଦିଆଯାଇଥିଲା। ସେନାରେ ଯୋଗ ଦିଅ ଆଉ ଯୁଦ୍ଧ ଲଢ଼। ନଚେତ ଡ୍ରଗ୍ସ ମାମଲାରେ ଫସାଇଦେବୁ ।
ହୁସେନ ଲୋକମାନଙ୍କୁ କୌଣସି ପରିସ୍ଥିତିରେ ରୁଷିଆ ସେନାରେ ଯୋଗ ନ ଦେବାକୁ ଅନୁରୋଧ କରିଛନ୍ତି। ୟୁକ୍ରେନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଶେୟାର କରାଯାଇଥିବା ଭିଡିଓରେ, ଗୁଜରାଟର ମୋର୍ବିର ବାସିନ୍ଦା ସାହିଲ ମହମ୍ମଦ ହୁସେନ ଭାରତ ସରକାରଙ୍କୁ ତାଙ୍କୁ ଦେଶକୁ ଫେରାଇ ଆଣିବାରେ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି।
ଅନ୍ୟ ଏକ ଭିଡିଓରେ ସେ କହିଛନ୍ତି, ସେ ମିଥ୍ୟା ଡ୍ରଗ୍ସ ମାମଲାରୁ ଖସିଯିବା ପାଇଁ ରୁଷିଆର ପ୍ରସ୍ତାବକୁ ଗ୍ରହଣ କରିଥିଲେ। ୧୫ ଦିନର ତାଲିମ ପରେ, ରୁଷୀୟମାନେ ତାଙ୍କୁ ସିଧାସଳଖ ଫ୍ରଣ୍ଟଲାଇନ୍ସକୁ ପଠାଇଥିଲେ। ହୁସେନଙ୍କ ଅନୁଯାୟୀ, ଫ୍ରଣ୍ଟଲାଇନ୍ସରେ ପହଞ୍ଚିବା ପରେ, ସେ ପ୍ରଥମେ ୟୁକ୍ରେନୀୟ ସେନା ନିକଟରେ ଆତ୍ମସମର୍ପଣ କରିଥିଲେ। ୟୁକ୍ରେନୀୟ ସେନା ତାଙ୍କ ଭିଡିଓଗୁଡ଼ିକୁ ଗୁଜରାଟରେ ତାଙ୍କ ମା’ଙ୍କୁ ପଠାଇଥିଲେ ଏବଂ ତାଙ୍କୁ ରୁଷିଆ ସେନାରେ ଭାରତୀୟଙ୍କ ପ୍ରତାରଣାମୂଳକ ନିଯୁକ୍ତି ବିଷୟରେ ସଚେତନତା ପ୍ରସାର କରିବାକୁ କହିଥିଲେ।
ହୁସେନ କହିଛନ୍ତି,ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସମ୍ପ୍ରତି ଭାରତ ଗସ୍ତ କରିଥିଲେ। ମୋର ସୁରକ୍ଷିତ ଘରକୁ ଫେରିବା ପାଇଁ ମୁଁ ପୁଟିନଙ୍କ ସହ କଥା ହେବାକୁ ସରକାରଙ୍କୁ ଅନୁରୋଧ କରୁଛି। ତାଙ୍କ ମାଆ ତାଙ୍କ ପୁଅର ସୁରକ୍ଷିତ ଫେରିବା ପାଇଁ ଦିଲ୍ଲୀର ଏକ କୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି।
Powered by Froala Editor