ପ୍ରେମରେ ବିଫଳ : ଛୁରିରେ ପ୍ରେମିକା ସହ ନିଜ ବେକ କାଟିଦେଲା ପ୍ରେମିକ
ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା ସହ ନିଜର ବେକ ମଧ୍ୟ କାଟି ପକାଇଛି। ଉଭୟେ ଏବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ଏଭଳି ଘଟଣା ଘଟିଛି ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ପିଅନପଡା ଅଞ୍ଚଳରେ। ସୂଚନା ଅନୁଯାୟୀ, ଭଞ୍ଜନଗର ନିକଟ ଗୋବରା ବଣିପଲ୍ଲୀର ଶୁଭମ ସ୍ବାଇଁଙ୍କ ପିଅନପଡା
ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ପ୍ରାୟ ତିନି ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା। ଉଭୟେ ବାହା ହେବା ପାଇଁ ମନସ୍ଥ କରି ଏଥିପାଇଁ ଶପଥ ନେଇଥିବା କୁହାଯାଉଛି। ଇତିମଧ୍ୟରେ ପ୍ରେମିକା ପାଇଁ ବିବାହ ପ୍ରସ୍ତାବ ଆସିଥିଲା ଓ ସେ ପ୍ରସ୍ତାବରେ ରାଜି ବି ହୋଇ ଯାଇଥିଲେ। ପ୍ରେମିକା ପ୍ରତିଜ୍ଞାରୁ ଓହରିଯିବା ଖବର ପାଇ ସମ୍ଭାଳି ପାରି ନଥିଲେ ପ୍ରେମିକ ଶୁଭମ। ଶନିବାର ସନ୍ଧ୍ୟାରେ ଫୁଲବାଣୀରେ ପହଞ୍ଚି ପ୍ରେମିକାଙ୍କ ଘରେ କେହି ନଥିବାବେଳେ ତାଙ୍କୁ ଯାଇ ପୁଣିଥରେ ବିବାହ ପାଇଁ ନିବେଦନ କରିଥିଲେ; କିନ୍ତୁ ପ୍ରେମିକା ଏଥିରେ ରାଜି ହୋଇ ନଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଶୁଭମ ଏକ ଛୁରିରେ ପ୍ରେମିକାର ବେକକୁ କାଟି ଦେଇଥିଲେ। ତାଙ୍କର ଚିତ୍କାର ଶୁଣି ସାହିପଡିଶା ଲୋକ ଧାଇଁଆସି ଯୁବକଙ୍କୁ କାବୁ କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚିବା ଦେଖି ଶୁଭମ ଧରିଥିବା ଛୁରିରେ ନିଜ ବେକକୁ ମଧ୍ୟ କାଟି ପକାଇଥିଲେ। ଉଭୟେ ଏବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।
Powered by Froala Editor