ପଶ୍ଚିମ ଓଡ଼ିଶାର ବିଶ୍ବବିଦ୍ୟାଳୟରେ ଖାଲି ପଡ଼ିଛି ପ୍ରଫେସର ପଦବୀ
ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି। ଆବଶ୍ୟକତା ଅନୁସାରେ ନୂଆ ନିଯୁକ୍ତି କରାଯାଉନାହିଁ କିମ୍ବା ପଦୋନ୍ନତି ମାଧ୍ୟମରେ ପଦ ପୂରଣ କରାଯାଉନାହିଁ। ଫଳରେ ଗୁଣାତ୍ମକ ଶିକ୍ଷା ପ୍ରଭାବିତ ହେବା ସହ ଗବେଷଣାରେ ବାଧା ସୃଷ୍ଟି ହେଉଛି। ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଭଳି ଉଚ୍ଚଶିକ୍ଷାନୁଷ୍ଠାନ ‘ନାକ୍’ ଗ୍ରେଡ୍ ନ ପାଇବା ପଛରେ ଏହା ପ୍ରମୁଖ କାରଣ ହୋଇଥିଲାବେଳେ ସରକାର ଉଚ୍ଚଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା କହୁଛନ୍ତି; କିନ୍ତୁ ଉଚ୍ଚଶିକ୍ଷାନୁଷ୍ଠାନର ଏହି ମୌଳିକ ଅଭାବ ଅସୁବିଧା ପ୍ରତି ଧ୍ୟାନ ନଦେବା ପରିତାପର ବିଷୟ ହୋଇଛି।
ଓଡ଼ିଶାର ବିଭିନ୍ନ ବିଶ୍ବବିଦ୍ୟାଳୟରେ ୨୭୮ଟି ଅନୁମୋଦିତ ପ୍ରଫେସର ପଦ ରହିଥିଲାବେଳେ ଅଛନ୍ତି ମାତ୍ର ୩୮। ସେଥିରୁ ପଶ୍ଚିମ ଓଡ଼ିଶାର ବିଶ୍ବବିଦ୍ୟାଳୟଗୁଡ଼ିକରେ ଏହି ସଂଖ୍ୟା ଖୁବ୍ କମ୍। ସମ୍ବଲପୁରରେ ମୁଖ୍ୟାଳୟ ଥିବା ଓଡ଼ିଶା ମୁକ୍ତ ବିଶ୍ବବିଦ୍ୟାଳୟ (ଓସୁ)ରେ ୯ ଅନୁମୋଦିତ ପ୍ରଫେସର ପଦ ଥିଲେ ହେଁ ଏଠାରେ ଜଣେ ହେଲେ ନାହାନ୍ତି। କଳାହାଣ୍ଡିର ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟରେ ୧୬ଟି ଅନୁମୋଦିତ ପଦ ଥିଲାବେଳେ ସବୁଗୁଡ଼ିକ ଶୂନ୍ୟ ରହିଛି। ବଲାଙ୍ଗିରର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ୧୮ଟି ଅନୁମୋଦିତ ପଦ ଥିବାବେଳେ ସେଠାରେ ମଧ୍ୟ ସବୁ ପଦ ଫାଙ୍କା। ସମସ୍ତ ତିନିଟି ନୂତନ ବିଶ୍ବବିଦ୍ୟାଳୟ ପ୍ରଫେସର ଶୂନ୍ୟ ରହିଛି। ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ୨୩ଟି ଅନୁମୋଦିତ ପ୍ରଫେସର ପଦରୁ ୨ଜଣ କାର୍ଯ୍ୟରତ। ଅନ୍ୟତମ ପୁରାତନ ଉଚ୍ଚଶିକ୍ଷାନୁଷ୍ଠାନ ସମ୍ବଲପୁର ବିଶ୍ବବିଦ୍ୟାଳୟର ସ୍ଥିତି ମଧ୍ୟ ସମାନ।
ଏଠାରେ ୨୬ଟି ଅନୁମୋଦିତ ପ୍ରଫେସର ପଦ ଥିବାବେଳେ ଅଛନ୍ତି ମାତ୍ର ୬ଜଣ। କେବଳ ପ୍ରଫେସର ପଦ ନୁହେଁ, ଅଧିକାଂଶ ପୂର୍ଣ୍ଣକାଳୀନ ଅଧ୍ୟାପକ ପଦ ମଧ୍ୟ ଖାଲି ରହିଛି। ଅନେକ ବିଭାଗ କେବଳ ଚୁକ୍ତିଭିତ୍ତିକ ଅଥବା ଅସ୍ଥାୟୀ ଅଧ୍ୟାପକ ଭରସାରେ ଚାଲିଛି। କେତେକ କ୍ଷେତ୍ରରେ ଅତିଥି ଅଧ୍ୟାପକ କାମ ଚଳାଉଛନ୍ତି। ଏହାଦ୍ବାରା ବିଶ୍ବବିଦ୍ୟାଳୟର ମୂଳ ଲକ୍ଷ୍ୟ ଗବେଷଣା ଉପରେ ଗୁରୁତର ପ୍ରଭାବ ପଡ଼ୁଛି ବୋଲି ସମ୍ବଲପୁର ବିଶ୍ବବିଦ୍ୟାଳୟର ଜଣେ ଅବସରପ୍ରାପ୍ତ ପ୍ରଫେସର କହିଛନ୍ତି।
Powered by Froala Editor