ପୁଲିସ ଏସ୍ଆଇ ଦୁର୍ନୀତି ମାମଲା: ବିହାରରୁ ନୀତିଶ କୁମାର ଗିରଫ
ଭୁବନେଶ୍ବର : ପୁଲିସ ସବ୍ ଇନ୍ସପେକ୍ଟର (ଏସ୍ଆଇ) ପରୀକ୍ଷା ଦୁର୍ନୀତି ମାମଲାରେ ସିବିଆଇ ବିହାରରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ବିହାର ପାଟନାର ନୀତିଶ କୁମାର । ନୀତିଶକୁ ଗିରଫ କରି ଟ୍ରାଞ୍ଜିଟ ରିମାଣ୍ଡରେ ଓଡ଼ିଶା ଆଣି ବୁଧବାର ଭୁବନେଶ୍ବର ସ୍ବତନ୍ତ୍ର ସିବିଆଇ ଅଦାଲତରେ ହାଜର ସହ ରିମାଣ୍ଡ ଆବେଦନ କରାଯାଇଥିଲା । ନୀତିଶକୁ ଦୁଇଦିନିଆ ରିମାଣ୍ଡରେ ନେବାକୁ ଅଦାଲତ ଅନୁମତି ଦେଇଛନ୍ତି । ନୀତିଶକୁ ହେପାଜତକୁ ନେଇ ପଚରାଉଚରା ଆରମ୍ଭ କରିଛି ତଦନ୍ତକାରୀ ଦଳ । ସେ ଏକାଧିକ ଥର ଓଡ଼ିଶା ଆସିଥିଲା ଓ କମ୍ପ୍ୟୁଟର ହ୍ୟାକିଂ କରୁଥିଲା । ବିହାରରୁ କିଛି ମେଧାବୀ ପରୀକ୍ଷାର୍ଥୀଙ୍କୁ ଓଡ଼ିଶା ଆଣିଥିଲା । ଏସ୍ଆଇ ପରୀକ୍ଷାର୍ଥୀଙ୍କୁ ସେ ପ୍ରଶିକ୍ଷଣ ଦେଉଥିଲା । ସିବିଆଇ ଦ୍ବାରା ଗିରଫ ବିରଞ୍ଚି କୁମାର ନାଏକ, ଶଙ୍କର ପୃଷ୍ଟି ସହ ନୀତିଶ ଯୋଗାଯୋଗରେ ଥିଲା । ଗତ ମାର୍ଚ୍ଚରୁ ବିରଞ୍ଚି ଓ ନୀତିଶ ଯୋଗାଯୋଗରେ ରହିଥିଲେ । ଆନ୍ଧ୍ରପ୍ରଦେଶ ଓ ଦୀଘା ମଡ୍ୟୁଲର ପରିଚାଳନା ଦାୟିତ୍ବ ନୀତିଶ ନେଇଥିଲା । ନୀତିଶ ଗିରଫ ହେବା ପରେ ଆନ୍ତଃରାଜ୍ୟ ଲିଙ୍କ ସ୍ପଷ୍ଟ ହୋଇଛି। ବିରଞ୍ଚିର ବୟାନ ଆଧାରରେ ନୀତିଶକୁ କାବୁ କରିଥିଲା ସିବିଆଇ ।
ମାମଲାର ଚେର ଲମ୍ବୁଥିବାରୁ ମୂଳରୁ ତଦନ୍ତ ଆରମ୍ଭ କରିଛି ସିବିଆଇ । ଗିରଫ ହୋଇ କାରାଗାରରେ ଥିବା ୪ ଦଲାଲ ମୁନା ମହାନ୍ତି, ଅଭିମନ୍ୟୁ ଦୋରା, ପ୍ରିୟଦର୍ଶିନୀ ସାମଲ ଓ ଶ୍ରୀକାନ୍ତ ମହାରଣାଙ୍କୁ ୫ଦିନିଆ ରିମାଣ୍ଡରେ ନେବାକୁ ଅଦାଲତରେ ଆବେଦନ କରିଥିଲା ସିବିଆଇ। ଗୁରୁବାର ଠାରୁ ଦୁଇଦିନିଆ ରିମାଣ୍ଡରେ ନେବାକୁ ଅଦାଲତ ଅନୁମତି ଦେଇଛନ୍ତି । ମୁଖ୍ୟ ଦଲାଲ ମୁନାକୁ ପଚରାଉଚରା ପରେ ବଡ଼ ଚେହେରା ସାମ୍ନାକୁ ଆସିବ ବୋଲି ଆଶା କରୁଛି ସିବିଆଇ। ଆନ୍ଧ୍ରପ୍ରଦେଶ ଓ ଦୀଘା ମଡ୍ୟୁଲ ବୁଝିବା ସହ ଶଙ୍କର ପ୍ରରୋଚନାରେ ମୁନା ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ୍ ଥିଲା । ଏହି ୪ ଦଲାଲ ପରୀକ୍ଷାର୍ଥୀଙ୍କ ସହ ସିଧାସଳଖ ଯୋଗାଯୋଗରେ ଥିଲେ। ୨୫ ଲକ୍ଷ ଟଙ୍କା ଡିଲ୍, ଅସଲ ସାର୍ଟିଫିକେଟ ଓ ବ୍ଲାଙ୍କଚେକ୍ ଆଦି ଆଦାୟ କରୁଥିଲେ । ୪ ଦଲାଲଙ୍କୁ ଜେରା କରି ବଡ଼ ପ୍ରମାଣ ଯୋଗାଡ଼ କରିବାକୁ ଯୋଜନା କରୁଛି ତଦନ୍ତକାରୀ ଦଳ। ତଦନ୍ତ କାଳରେ ସିବିଆଇକୁ ନୂଆ ନୁଆ ସୁରାକ୍ ମିଳୁଛି ।
Powered by Froala Editor