ବାରବାଟୀ ନାଲିମାଟି ପିଚ୍ରେ ଭାରତର ଚିତ୍ତାକର୍ଷକ ବିଜୟ
କଟକ: କଟକ ବାରବାଟୀ ଷ୍ଟାଡିୟମ୍ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକତରଫା ବିଜୟ ହାସଲ ସହ ଟ୍ବେଣ୍ଟି୨୦ ଶୃଙ୍ଖଳା ଆରମ୍ଭ କରିଛି। ହାର୍ଦିକ ପାଣ୍ଡ୍ୟାଙ୍କ ଚିତ୍ତାକର୍ଷକ ଇନିଂସ ପରେ ବୋଲରଙ୍କ ସାମୂହିକ ପ୍ରଦର୍ଶନ ଭାରତକୁ ଏହି ସଫଳତା ଦେଇଛି। ଫଳରେ ମଙ୍ଗଳବାର ଦକ୍ଷିଣ ଆଫ୍ରିକାକୁ ୧୦୧ ରନ୍ରେ ଭାରତ ପରାସ୍ତ କରିଛି। ବାରବାଟୀର ଏହି ନାଲିମାଟି ପିଚ୍ରେ ବ୍ୟାଟିଂ ସହଜ ନଥିଲା। ଆରମ୍ଭରୁ ଭାରତୀୟ ଦଳ ପାଇଁ ଏକପ୍ରକାର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ତେବେ ହାର୍ଦିକ ପାଣ୍ଡ୍ୟା ଏହାକୁ ଭୁଲ୍ ପ୍ରମାଣିତ କରି ବିସ୍ଫୋରକ ଅପରାଜିତ ୫୯ ରନ୍ କରିଥିଲେ। ଫଳରେ ଭାରତ ପାଇଁ ଦେଢ଼ଶହ ରନ୍ ଏକଦା ଅପହଞ୍ଚ ଲାଗୁଥିବା ବେଳେ ହାର୍ଦିକଙ୍କ ଇନିଂସ ବଳରେ ଘରୋଇ ଦଳ ୬ ୱିକେଟ୍ରେ ୧୭୫ ରନ୍ କରିଥିଲା। ପରେ ଭାରତର ଛଅ ଜଣ ବୋଲର ବୋଲିଂକରି ପ୍ରତିଦ୍ବନ୍ଦ୍ବୀ ଦକ୍ଷିଣ ଆଫ୍ରିକାର ସମସ୍ତ ୱିକେଟ୍ ନେଇଥିଲେ। ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଦକ୍ଷିଣ ଆଫ୍ରିକା ୧୨.୩ ଓଭରରେ ମାତ୍ର ୭୪ ରନ୍କରି ଅଲ୍ଆଉଟ୍ ହୋଇ ଯାଇଥିଲା। ବିଜୟ ସହ ଭାରତ ୫ ମ୍ୟାଚ୍ର ଟ୍ବେଣ୍ଟି୨୦ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି।
ପୂର୍ବରୁ ବାରବାଟୀ ଷ୍ଟାଡିୟମ୍ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଦୁଇଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳି ଉଭୟ ମ୍ୟାଚ୍ ହାରିଥିବା ବେଳେ ତୃତୀୟ ମୁକାବିଲାରେ ଏହି ଧାରାକୁ ସୂର୍ଯ୍ୟକୁମାର ଯାଦବଙ୍କ ବ୍ରିଗେଡ୍ ଭାଙ୍ଗିପାରିଛି। ଓଡ଼ିଶାର ଦର୍ଶକ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ବାରବାଟୀ ଆସିଥିଲେ ହେଁ ଭାରତ ଯେପରି ଭାବେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାରକରି ବିଜୟୀ ହେଲା; ସେଥିରେ ୪୫ ହଜାର ଦର୍ଶକଙ୍କ ପଇସା ପୂରା ଅସୁଲ ହୋଇଥିଲା। ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପ୍ରତି ବାଉଣ୍ଡରୀ ଏବଂ ପରେ ପ୍ରତି ଭାରତୀୟ ବୋଲରଙ୍କ ପ୍ରତି ୱିକେଟ୍ ସହ ଦର୍ଶକଙ୍କ ହର୍ଷନାଦରେ ବାରବାଟୀ ଷ୍ଟାଡିୟମ୍ ଦୁଲୁକି ଯାଇଥିଲା। ଭାରତ ୧୭୫ ରନ୍ କରିବା ପରେ ଏହା ମ୍ୟାଚ୍ ବିଜୟୀ ସ୍କୋର୍ ମନେ ହୋଇଥିଲା। ହେଲେ ଦକ୍ଷିଣ ଆଫ୍ରିକା ତା’ର ଟ୍ବେଣ୍ଟି୨୦ ଇତିହାସରେ ସର୍ବନିମ୍ନ ସ୍କୋର୍ ୭୪ ରନ୍ରେ ଅଲ୍ଆଉଟ୍ ହେବ ବୋଲି କେହି ଭାବି ନ ଥିଲେ। ପୁଣି କାକର ଭାରତୀୟ ବୋଲରଙ୍କୁ ପ୍ରଭାବିତ କରି ପାରି ନ ଥିଲା। ସୂଚନାଯୋଗ୍ୟ; ୨୦୨୨ରେ ରାଜକୋଟରେ ଭାରତଠାରୁ ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି୨୦ ମ୍ୟାଚ୍ରେ ୮୭ ରନ୍ରେ ଅଲ୍ଆଉଟ୍ ହୋଇଥିଲା।
Powered by Froala Editor