ଶୀତ ଲହରୀ: ଏହି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
ଭୁବନେଶ୍ୱର: ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଛି । ପାରଦ ତଳମୁହାଁ ହେତୁ ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ଉପାନ୍ତ ପର୍ୟ୍ୟନ୍ତ ସବୁଠୁ ଶୀତର ପ୍ରଭାବ ଜାରି ରହିଛି । ସନ୍ଧ୍ୟା ୭ରୁ ତାପମାତ୍ରା ହ୍ରାସ ଆରମ୍ଭ ହୋଇ ରାତି ୧୦ ବେଳକୁ କାଲୁଆ ଶୀତ ପଡ଼ିଯାଉଛି । ଏମିତି କି ଖରା ନ ଆସିବା ଅର୍ଥାତ ସକାଳ ପ୍ରାୟ ୯ଟା ପର୍ୟ୍ୟନ୍ତ ଶୀତ ଜାରି ରହୁଥିବାରୁ ସାରା ରାଜ୍ୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ୧୦ ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ ୧୫ ଡିଗ୍ରୀ ତଳେ ୩୯ ସହରରେ ପାରଦ ରେକର୍ଡ ହୋଇଛି। ସେହିପରି ଦ୍ୱୈତ ନଗରୀରେ ମଧ୍ୟ ତାପମାତ୍ରା ୧୨ ଡିଗ୍ରୀ ତଳକୁ ଖସିଛି। ପାଣିପାଗ କେନ୍ଦ୍ର କହିଛି ଯେ ଗତ ୨୪ ଘଣ୍ଟାରେ ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି। ଜିି. ଉଦୟଗିରିରେ ତାପମାତ୍ରା ୪.୪ ଡିଗ୍ରୀ ସେଲ୍ସିୟସ ରେକର୍ଡ ହେବା ସହ କୋରାପୁଟର ସେମିଳିଗୁଡ଼ାରେ ତାପାମତ୍ରା ୬.୧ ଡିଗ୍ରୀ, ରାଉରକେଲା ୭.୨, ଦାରିଙ୍ଗବାଡ଼ି ୭.୫, ଝାରସୁଗୁଡ଼ାରେ ୭.୬, ଫୁଲବାଣୀ ୮, ସମ୍ବଲପୁରର ଚିପିଲିମାରେ ୮.୭, ସୁନ୍ଦରଗଡ଼ର କିରେଇଠାରେ ୮.୮, ଅନୁଗୁଳ ୯, କେନ୍ଦୁଝର ୯.୬ ଡିଗ୍ରୀ ରେକର୍ଡ ହୋଇଛି। ଭୁବନେଶ୍ୱରରେ ୧୧.୯ ଏବଂ କଟକରେ ପାରଦ ୧୧.୮ ଡିଗ୍ରୀ ରେକର୍ଡ କରାଯାଇଛି।
ଆସନ୍ତା ୭ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା କମ୍ ରହିଥିବା ବେଳେ ଶୀତର ପ୍ରଭାବ ପ୍ରାୟତଃ ଜାରି ରହିବାର ସମ୍ଭାବନା ରହିଛି। ଏହା ବ୍ୟତୀତ ପରବର୍ତ୍ତୀ ଦୁଇ ଦିନରେ ରାଜ୍ୟର କିଛି ସ୍ଥାନରେ ଶୀତ ଲହରୀ (କୋଲ୍ଡ ୱେଭ୍) ସ୍ଥିତି ସୃଷ୍ଟି ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ବିଶେଷକରି ଅନୁଗୁଳ, ଝାରସୁଗୁଡ଼ା, ଖୋର୍ଦ୍ଧା ଓ ଜଗତସିଂହପୁରରେ ଦୁଇ ଦିନ ଶୀତ ଲହରୀ ଆଶଙ୍କା କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି।
Powered by Froala Editor