ନିଆଁରେ ପୋଡି ଗୁରୁତର ଛାତ୍ରୀଙ୍କ ମୃତ୍ୟୁ
ରାଉରକେଲା : ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ରାଉରକେଲା ଆଇଜିଏଚରେ ଚିକିତ୍ସାଧୀନ ଅବସ୍ଥାରେ ପୀଡିତା ଆଖି ବୁଜିଛନ୍ତି । ନିଜ ଶରୀରରେ କିରୋସିନ ଢାଳି ନିଆଁ ଲଗାଇଥିଲେ ନାବାଳିକା ଛାତ୍ରୀ ।
ପୁରୁଷ ବନ୍ଧୁର ଉତ୍ପୀଡ଼ନରେ ଅତିଷ୍ଠ ହୋଇ ଆତ୍ମାହୁତି ଉଦ୍ୟମ କରିଥିବା ରାଜଗାଙ୍ଗପୁର ସରବତୀ ଦେବୀ ମହିଳା ମହାବିଦ୍ୟାଳୟର ଛାତ୍ରୀଙ୍କୁ ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ରାଉରକେଲାର ଇସ୍ପାତ ଜେନେରାଲ ହସ୍ପିଟାଲରେ ଭେଟିଥିଲେ । ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା । ଛାତ୍ରୀଙ୍କ ଶରୀରର ପ୍ରାୟ ୯୨ ପ୍ରତିଶତ ପୋଡ଼ି ଯାଇଥିଲା ।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏମ୍ସ ସହ ଯୋଗସୂତ୍ରରେ ରହିବା ସହ ମନ୍ତ୍ରୀ ନିଜେ ମଧ୍ୟ ଏମ୍ସ ନିର୍ଦେଶକଙ୍କ ସହ ଆଲୋଚନା କରିଥିଲେ । ଆବଶ୍ୟକ ସ୍ଥଳେ ଛାତ୍ରୀଙ୍କୁ ଭୁବନେଶ୍ୱର କିମ୍ବା ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯିବ ବୋଲି ମନ୍ତ୍ରୀ କହିଥିଲେ । ହେଲେ ପୀଡିତା ଆଜି ଆଖି ବୁଜିଛନ୍ତି । ଏହି ଘଟଣାରେ ପୁଲିସ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ବସ୍ ଖଲାସୀ ନୀଳେଶ ସାହୁକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଥିବା ଆରକ୍ଷୀ ଅଧୀକ୍ଷକ କହିଛନ୍ତି।
Powered by Froala Editor