୬ରୁ ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ
ଡିସେମ୍ବର ୬ତାରିଖରୁ ଭୁବନେଶ୍ୱରସ୍ଥିତ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବ ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ। ଏହା ଆସନ୍ତା ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଏହି ମହୋତ୍ସବ ଆୟୋଜିତ ହେଉଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡିସେମ୍ବର ୬ରେ ଏହି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ। ଉଦ୍ଘାଟନୀ ସମାରୋହରେ ‘ଦ ସେଭେନ୍ ମୁନ୍ସ ଅଫ୍ ମାଲି ଅଲମେଡା’ ପୁସ୍ତକ ପାଇଁ ୨୦୨୨ ବୁକର୍ ପୁରସ୍କାର ବିଜେତା ଶ୍ରୀଲଙ୍କାର ଲେଖକ ସେହାନ କରୁଣାତିଲକା ବିଶେଷ ଅତିଥି ଭାବେ ଯୋଗଦେବେ। ଜ୍ଞାନପୀଠ ପୁରସ୍କାର ବିଜେତା ତଥା ବିଶିଷ୍ଟ ଲେଖିକା ଡ. ପ୍ରତିଭା ରାୟ ମଧ୍ୟ ଉପସ୍ଥିତ ରହିବେ।
ଚଳିତ ବର୍ଷ ପୁସ୍ତକ ମେଳାରେ ୫୫୦ଟି ଷ୍ଟଲ୍ ନିର୍ମାଣ ହେବା ସହିତ ପ୍ରାୟ ୨୫୦ ପ୍ରକାଶକ ଓ ପୁସ୍ତକ ବିକ୍ରେତା ଯୋଗଦେବେ। ଏଥିସହ ୬ଟି ଅନ୍ତର୍ଜାତୀୟ ସ୍ତରୀୟ ପ୍ରକାଶନ ସଂସ୍ଥା ମଧ୍ୟ ଚଳିତ ବର୍ଷ ପୁସ୍ତକ ମେଳାରେ ଅଂଶଗ୍ରହଣ କରିବେ । ଚଳିତ ବର୍ଷ ଓଡ଼ିଶାର ମହିଳା ସ୍ୱାଧୀନତା ସଂଗ୍ରାମୀ ଏବଂ ସର୍ଦ୍ଦାର ପଟେଲ @୧୫୦କୁ ନେଇ ଦୁଇଗୋଟି ଥିମ୍ ପାଭିଲିୟନ ନିର୍ମାଣ କରାଯିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ପୁସ୍ତକ ମେଳାର ମୁଖ୍ୟ ପ୍ରବେଶ ଦ୍ୱାରକୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମା' ରମାଦେବୀ, ମୁଖ୍ୟମଞ୍ଚକୁ ସୁନାମଧନ୍ୟ ସାହିତ୍ୟିକ ରମାକାନ୍ତ ରଥ, ମେଳାର ଭିତର ପ୍ରବେଶ ଦ୍ୱାରକୁ ସନ୍ଥକବି ଭୀମଭୋଇଙ୍କ ନାମରେ ନାମିତ କରାଯିବ।
Powered by Froala Editor