ପ୍ରକଳ୍ପ ନିର୍ମାଣ ଶେଷ ହୋଇଥିଲେ ସୁଦ୍ଧା ବ୍ୟବହାର ହୋଇପାରୁନି ଏହି ଇକୋ ରିଟ୍ରିଟ୍
ଗୋପାଳପୁର: ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦେଶ ଓ ବିଦେଶରୁ ପର୍ଯ୍ୟଟକଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିବା ପାଇଁ ନଭେମ୍ବର ୧୫ ତାରିଖରୁ ଆସନ୍ତା ଫେବୃଆରୀ ୨୯ ପର୍ଯ୍ୟନ୍ତ ଇକୋ ରିଟ୍ରିଟ୍ ଫେଷ୍ଟିଭାଲର ଆୟୋଜନ କରାଯାଉଛି। ଓଡ଼ିଶାର ଭିତରକନିକା, ସାତକୋଶିଆ, ହୀରାକୁଦ, ଦାରିଙ୍ଗବାଡ଼ି ଓ ପାତିସୁନାପୁରରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ତମ୍ବୁ ପକାଯାଇ ଇକୋ ରିଟ୍ରିଟର ଶୁଭାରମ୍ଭ କରାଯାଇଛି। କିନ୍ତୁ ଗଞ୍ଜାମ ଜିଲାର ଗୋପାଳପୁର ବେଳାଭୂମି ନିକଟରେ ୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ସ୍ଥାନୀୟ ଇକୋ ରିଟ୍ରିଟ୍ ସେଣ୍ଟରଟି ଏବେ ବି ଉଦ୍ଘାଟନ ଅପେକ୍ଷାରେ ରହିଛି। ପ୍ରକଳ୍ପ ନିର୍ମାଣ ଶେଷ ହୋଇଥିଲେ ସୁଦ୍ଧା ଏହା ବ୍ୟବହାର ହୋଇପାରିନି।
୨୦୧୬ରେ ଗୋପାଳପୁରରେ ୪୫ ଏକର ପରିମିତ ଜମିରେ ଇକୋ ରିଟ୍ରିଟ୍ ସେଣ୍ଟର ନିର୍ମାଣ ଆରମ୍ଭ କରାଯାଇଥିଲା। ୨୦୨୦ରେ ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। କିନ୍ତୁ ୫ ବର୍ଷ ପରେ ମଧ୍ୟ ଏହା ଉଦ୍ଘାଟନ ନ ହୋଇ ପଡ଼ିରହିଛି। ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ଇକୋ ରିଟ୍ରିଟ୍ ନିର୍ମାଣ କରାଯାଇଥିଲା, ତାହା ପୂରଣ ହୋଇପାରି ନଥିବାବେଳେ ଏବେ ଏହା ବିଡିଏର ଅଘୋଷିତ କଲ୍ୟାଣମଣ୍ଡପ ପାଲଟି ଯାଇଛି। ଏଠାରେ ବିବାହ ଋତୁରେ ବିଡିଏ ପକ୍ଷରୁ ଦୈନିକ ଲକ୍ଷେ ଟଙ୍କା ଲେଖାଏଁ ଭଡ଼ା ଆଦାୟ କରାଯାଉଛି। ଗୋପାଳପୁର ବେଳାଭୂମିକୁ ପ୍ରତିଦିନ ଶହଶହ ସଂଖ୍ୟାରେ ଦେଶୀ ଓ ବିଦେଶୀ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି। ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବେଳାଭୂମିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ମଧ୍ୟ କରାଯାଇଛି।
ତେବେ ଇକୋ ରିଟ୍ରିଟ୍ ନିର୍ମାଣ କରାଯାଇ ଏହାକୁ ଲୋକାର୍ପଣ କରାନଯିବା ପଛରେ ପ୍ରକୃତ କାରଣ କ’ଣ ତାହା ଜଣାପଡୁ ନାହିଁ। ଏଥି ସହ ବିଡିଏ ଏହାର ନିର୍ମାଣ ଦାୟିତ୍ବରେ ରହିଥିବା ବେଳେ ନିର୍ମାଣ କାର୍ଯ୍ୟ ସରିବାର ୫ ବର୍ଷ ବିତି ଯାଇଥିଲେ ସୁଦ୍ଧା ଆଜିଯାଏଁ ଏହାକୁ ପର୍ଯ୍ୟଟନ ବିଭାଗକୁ ହସ୍ତାନ୍ତର ନକରିବା ସହ ଏହାକୁ କାର୍ଯ୍ୟକ୍ଷମ କରାଇବାରେ ପଦକ୍ଷେପ ନନେବା ପଛରେ ଏକ ବିରାଟ ଷଡ଼ଯନ୍ତ୍ର ରହିଥିବା ଅଭିଯୋଗ ହୋଇଛି।
ବିଡିଏ ଦ୍ବାରା ନିର୍ମିତ ଉକ୍ତ ଇକୋ ରିଟ୍ରିଟ୍ରେ ୧୪ଟି ଶୀତତାପ ନିୟନ୍ତ୍ରିତ କଟେଜ୍ (କୁଟୀର) ରହିଥିବାବେଳେ ଶିଶୁ ଉଦ୍ୟାନ, ଘାସ ବଗିଚା, ଗାଡ଼ି ପାର୍କିଂ ସ୍ଥଳ, ସୁଇମିଂ ପୁଲ୍ ରହିଛି। ଏହାର ମୁଖ୍ୟ ଆକର୍ଷଣ ହେଉଛି କଟେଜଠାରୁ ବେଳାଭୂମିକୁ ଯିବାକୁ କାଠ ନିର୍ମିତ ପୋଲ। ଏହା ସହ ସେଣ୍ଟର ପରିସରରେ ସ୍ବସ୍ତି ଗ୍ରୁପ୍ ଅଫ ହୋଟେଲକୁ ଜମି ଦିଆ ଯାଇଥିବାବେଳେ ଉକ୍ତ ସଂସ୍ଥା ପକ୍ଷରୁ ସେଠାରେ ଗତ କିଛି ମାସ ହେବ ନିର୍ମାଣ କାମ ଆରମ୍ଭ ହୋଇଛି। ସେଣ୍ଟର ସମ୍ମୁଖରେ ରହିଥିବା ପଡ଼ିଆଟି ଅନ୍ଧକାର ରହୁଥିବାରୁ ସନ୍ଧ୍ୟା ହେଲେ ସେଠାରେ ମଦୁଆଙ୍କ ଆଡ୍ଡା ଜମୁଛି। ଇକୋ ରିଟ୍ରିଟ୍ ସେଣ୍ଟର ନିର୍ମାଣ ପରେ ଏହାକୁ ଓଡ଼ିଶା ପର୍ଯ୍ୟଟନ ବିଭାଗକୁ ବିଡିଏ ହସ୍ତାନ୍ତର କରିବା କଥା। କିନ୍ତୁ କ’ଣ ପାଇଁ ଆଜି ଯାଏଁ ଦୀର୍ଘ ୫ ବର୍ଷ ହେଲା ବିଡିଏ ଉକ୍ତ ଇକୋ ରିଟ୍ରିଟ୍କୁ ପର୍ଯ୍ୟଟନ ବିଭାଗକୁ ସେଣ୍ଟରକୁ ହସ୍ତାନ୍ତର ନକରି ନିଜ ଅଧୀନରେ ରଖିଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
Powered by Froala Editor