ଫଟୋଗ୍ରାଫିର ‘ଜନକ’ ରଘୁ ରାୟଙ୍କ ପରଲୋକ
ଦେଶର ବିଶିଷ୍ଟ ଫଟୋ ଜର୍ଣ୍ଣାଲିଷ୍ଟ ତଥା କିମ୍ବଦନ୍ତୀ ଫଟୋଗ୍ରାଫର ରଘୁ ରାୟଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ତାଙ୍କ ପରିବାର ପକ୍ଷରୁ ରଘୁ ରାୟଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ମାଧ୍ୟମରେ ଏହି ଦୁଃଖଦ ସୂଚନା ଦିଆଯାଇଛି।
ରଘୁ ରାୟଙ୍କୁ ଭାରତୀୟ ଫଟୋଗ୍ରାଫି ଏବଂ ଫଟୋ ସାମ୍ବାଦିକତାର ଜନକ ବୋଲି କୁହାଯାଏ। ପ୍ରାୟ ୫୦ ବର୍ଷରୁ ଅଧିକ ସମୟର କ୍ୟାରିୟର ମଧ୍ୟରେ ସେ ଦେଶ ଓ ଦୁନିଆର ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ନିଜ କ୍ୟାମେରାରେ କଏଦ କରିଥିଲେ। ସେ ତାଙ୍କ କ୍ୟାମେରା ମାଧ୍ୟମରେ ଭାରତର ବିବିଧ ରଙ୍ଗ ଏବଂ ଜୀବନର ଅନେକ ଦିଗକୁ କଏଦ କରିଥିଲେ।
ତାଙ୍କ ପୁଅ ଫଟୋଗ୍ରାଫର ନୀତିନ ରାୟ କହିଛନ୍ତି, “ମୋ ବାପାଙ୍କୁ ଦୁଇ ବର୍ଷ ପୂର୍ବେ ପ୍ରୋଷ୍ଟେଟ୍ କର୍କଟ ରୋଗ ଚିହ୍ନଟ କରାଯାଇଥିଲା। ଯାହା ସୁସ୍ଥ ହୋଇଥିଲା। କିନ୍ତୁ ପରେ କର୍କଟ ତାଙ୍କ ପେଟକୁ ବ୍ୟାପିଥିଲା। ତାହା ମଧ୍ୟ ସୁସ୍ଥ ହୋଇଥିଲା। ସମ୍ପ୍ରତି, କର୍କଟ ତାଙ୍କ ମସ୍ତିଷ୍କକୁ ବ୍ୟାପିଥିଲା ଏବଂ ତାଙ୍କର ବୟସ ସମ୍ବନ୍ଧୀୟ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଥିଲା।
ରଘୁ ରାୟ ୧୯୪୨ ମସିହାରେ ପଞ୍ଜାବର ଝାଙ୍ଗରେ ଜନ୍ମଗ୍ରହଣ କରିଥିଲେ। ଏହି ଅଞ୍ଚଳ ବର୍ତ୍ତମାନ ପାକିସ୍ତାନର ଅଂଶ। ୧୯୬୨ ମସିହାରେ, ସେ ତାଙ୍କ ବଡ଼ ଭାଇ ଏସ. ପାଉଲଙ୍କ ଠାରୁ ଫଟୋଗ୍ରାଫି ଶିଖିବା ଆରମ୍ଭ କରିଥିଲେ। ସେ ୧୯୬୦ ଦଶକର ମଧ୍ୟଭାଗରେ ଦି ଷ୍ଟେଟସମ୍ୟାନରେ ଫଟୋଗ୍ରାଫର ଭାବରେ କାମ କରି ନିଜର କ୍ୟାରିଅର ଆରମ୍ଭ କରିଥିଲେ।
ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହ ଦୀର୍ଘ ସମୟ ଧରି କାମ କରିଥିଲେ ଏବଂ ତାଙ୍କ ଶାସନ କାଳର ଅନେକ ଐତିହାସିକ ମୁହୂର୍ତ୍ତକୁ ସାରା ବିଶ୍ୱ ଆଗରେ ଉପସ୍ଥାପନ କରିଥିଲେ। ମଦର ଟେରେସାଙ୍କ ଉପରେ ତାଙ୍କ ଦ୍ୱାରା କରାଯାଇଥିବା ଫଟୋଗ୍ରାଫି ଆଜି ବି ବିଶ୍ୱ ପ୍ରସିଦ୍ଧ ହୋଇ ରହିଛି।
ତାଙ୍କ ବିୟୋଗରେ ଫଟୋଗ୍ରାଫି ଏବଂ ସାମ୍ବାଦିକତା ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି। ବିଭିନ୍ନ ମହଲରୁ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି।
Powered by Froala Editor