ଛତିଶଗଡ଼କୁ ହେଉଥିଲା ବାଲି ଚୋରାଚାଲାଣ, ରୋକିଲେ ବିଧାୟକ
ନବରଙ୍ଗପୁର: ଭାସ୍କେଲ ନଦୀରେ ଅଣ୍ଟାଏ ପାଣିରେ ଚାଲି ଛତିଶଗଡ଼ ରାଜ୍ୟକୁ ବାଲି ଚୋରାଚାଲାଣ ରୋକିବାରେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ସଫଳ ହୋଇଛନ୍ତି। ବିଧାୟକଙ୍କ କାର୍ଯ୍ୟକୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଛି। ବିଧାୟକ ଗୌରୀଶଙ୍କର ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ୍ ଉକିଆପାଲି ପଞ୍ଚାୟତରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବରଗାଁରେ ପହଞ୍ଚିଥିଲେ। ଭାସ୍କେଲ ନଦୀରେ ବାଲି ଚୋରାଚାଲାଣ ହେଉଥିବା ବିଧାୟକଙ୍କୁୁ ସେଠିକାର ଲୋକେ ଜଣାଇଥିଲେ। ହଠାତ୍ ସୋମବାର ବିଧାୟକଙ୍କ ସମେତ କୋଷାଗୁମୁଡା ବିଡିଓ ଆଶିଷ ତ୍ରିପାଠୀ, ତହସିଲଦାର ଟୁଲୁ ମୁଦୁଲି ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ପହଞ୍ଚିଥିଲେ।
ସେଠାରେ ବିନା ଅନୁମତିରେ ଏକ ଟିପ୍ପର, ଚେନ୍ ଜେସିବି ବେଆଇନ୍ ଭାବେ ବାଲି ଉତ୍ତୋଳନ କରୁଥିବା ଦେଖିବାକୁ ପାଇଥିଲେ। ସମସ୍ତ ଗାଡି ପଡ଼ୋଶୀ ଛତିଶଗଡ଼ର ବୋଲି ଜଣାପଡିଥିଲା। ସେ ସଙ୍ଗେ ସଙ୍ଗେ ନବରଙ୍ଗପୁର ମାଇନିଂ କାର୍ଯ୍ୟାଳୟକୁ ଯୋଗାଯୋଗ କରି ଜଣାଇଥିଲେ। କାର୍ଯ୍ୟାଳୟରୁ ଜୁନିୟର ମାଇନିଂ ଅଧିକାରୀ ନରେନ୍ଦ୍ରକୁମାର ବିଶ୍ବାସ ଉକ୍ତ ସ୍ଥାନରେ ପହଞ୍ଚି ତଥ୍ୟ ସଂଗ୍ରହ ସମୟରେ ସେଠାରେ ବାଲି ଖାଦାନ ଥିବା ଜାଣିପାରିଥିଲେ। ବିଧାୟକଙ୍କ ନିର୍ଦେଶରେ ଜେସିବି ଓ ଟିପ୍ପରକୁ ବଡ଼ଆମ୍ବଡା ଫାଣ୍ଡି ଅଧିକାରୀ ଏଲ.କେ. ପଣ୍ଡା ଜବତ କରିଛନ୍ତି।
Powered by Froala Editor