୫ ନବଜାତ ଶାବକଙ୍କୁ ଜନ୍ମ ଦେଲା ମୁଖୀ
ନୂଆଦିଲ୍ଲୀ: ଭାରତରେ ଆରମ୍ଭ କରାଯାଇଥିବା ପ୍ରୋଜେକ୍ଟ ଚିତାକୁ ବଡ ସଫଳତା ମିଳିଛି । ପ୍ରାୟ ୩୩ ମାସ ତଳେ ଭାରତରେ ଜନ୍ମ ହୋଇଥିବା ମାଈ ଚିତା ମୁଖୀ ଗୁରୁବାର ୫ ନବଜାତ ଶାବକଙ୍କୁ ଜନ୍ମ ଦେଇଛି । ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଉଭୟ ମା ଓ ଶାବକମାନେ ସୁସ୍ଥ ଅଛନ୍ତି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସୋସିଆଲ ମିଡିଆ ଏକ୍ସରେ ଏହି ସୂଚନା ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ନିକଟ ଇତିହାସରେ ଏହା ପ୍ରଥମ ଘଟଣା । ଯେଉଁଠାରେ ଭାରତରେ ଜନ୍ମିତ ଏକ ଚିତା ବଡ଼ ହେଲା ପରେ ନିଜେ ଶାବକ ଜନ୍ମ ଦେଇଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଭାରତୀୟ ଜଳବାୟୁ ଚିତା ବଂଶର ବିସ୍ତାର ପାଇଁ ଅନୁକୂଳ ରହିଛି । ନାମ୍ବିଆରୁ ଆସିଥିବା ମାଈ ଚିତା ଜ୍ୱାଲା ଠାରୁ ୨୦୨୩ ମାର୍ଚ୍ଚ ୨୯ରେ ମୁଖୀ ଜନ୍ମ ହୋଇଥିଲା । ଜନ୍ମ ପରେ ପରେ ମା ସେମାନଙ୍କୁ ଛାଡି ଦେଇଥିଲା । ଫଳରେ ପ୍ରବଳ ଗରମ ଯୋଗୁ ମୁଖୀର ଅନ୍ୟ ୩ ଭାଉଭଉଣୀଙ୍କର ମୃତ୍ୟୁ ଘଟିଥିଲା । ଚିତା ସଂରକ୍ଷଣ କ୍ଷେତ୍ରରେ ଏହି ଉପଲବ୍ଧି ଦର୍ଶାଉଛି ଯେ ଆଫ୍ରିକୀୟ ଜଙ୍ଗଲରୁ ଅଣାଯାଇଥିବା ଏହି ବନ୍ୟପ୍ରାଣୀ ପ୍ରଜାତି ଭାରତୀୟ ପରିବେଶରେ ଭଲ ଭାବରେ ରହିପାରିବେ । ଏହି ୫ ଶାବକଙ୍କୁ ମିଶାଇ ଏବେ ଭାରତରେ ମୋଟ ଚିତାଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି । ସେଥିରୁ କୁନୋରେ ୨୯ଟି ଚିତା ରହିଥିଲା ବେଳେ ଗାନ୍ଧୀ ସାଗର ଜାତୀୟ ଉଦ୍ୟାନରେ ୩ଟି ଚିତା ଅଛନ୍ତି ।
Powered by Froala Editor