ବାହୁଡ଼ିଲେ ବାହୁଡ଼ାବ୍ରହ୍ମ, ସିଂହଦ୍ୱାରରେ ତିନି ରଥ
ନଅ ଦିବସୀୟ ଯାତ୍ରା ଶେଷ କରି ବାହୁଡିଛନ୍ତି ବାହୁଡ଼ାବ୍ରହ୍ମ। ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଜଗତରନାଥ ଜଗନନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ବାର ସମ୍ମୁଖରେ ଲାଗିଛି। ଶ୍ରୀଜୀଉଙ୍କ ତିନି ରଥ ସିଂହଦ୍ବାରରେ ପହଞ୍ଚିବା ପରେ ସେବାୟତମାନେ ଗୀତ ଗୋବିନ୍ଦ ଗାନ କରିଥିଲେ। ଶହ ଶହ ସେବାୟତ ଏକସ୍ବରରେ ଗାଇଥିଲେ ଗୀତଗୋବିନ୍ଦ। ପ୍ରଥମେ ଶ୍ରୀମନ୍ଦିର ସାମ୍ନାରେ ଲାଗିଥିଲା ବଡଠାକୁରଙ୍କ ରଥ । ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଟାଣି ଆଣିଥିଲେ ସେବାୟତ। ଗୁଣ୍ଡିଚା ମନ୍ଦିରରୁ ପ୍ରଥମେ ଗଡିଥିଲା ବଳଭଦ୍ରଙ୍କ ରଥ। ବଳଭଦ୍ରଙ୍କ ରଥ ପଛେ ପଛେ ଶ୍ରୀମନ୍ଦିର ସମ୍ମୁଖରେ ହଳଦୀମୁହିଁ ସୁଭଦ୍ରାଙ୍କ ରଥ ବି ପହଞ୍ଚି ଥିଲା। ଶେଷରେ କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥ ପହଞ୍ଚିଥିଲା।
ବାହୁଡ଼ା ଯାତ୍ରା ଅବସରରେ ଭୋର ୪ଟାରେ ମହାପ୍ରଭୁଙ୍କୁ ମଙ୍ଗଳ ଆଳତି କରାଯାଇଥିଲା । ୪ଟା ୧୫ରେ ମଇଲମ, ୪ଟା ୩୦ରେ ତଡ଼ପ ଲାଗି ଏବଂ ରୋଷହୋମ, ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟପୂଜା, ୫ଟା ୩୦ରେ ଦ୍ୱାରପାଳ ପୂଜା ଓ ବେଶ ଶେଷ କରାଯାଇଥିଲା । ତେବେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ନୀତି ଆଜି ନିର୍ଦ୍ଧାରିତ ସମୟ ପୂର୍ବରୁ ଅନୁଷ୍ଠିତ ହୋଇପାରିଥିବାରୁ ରଥଟଣା କାର୍ଯ୍ୟ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଥିଲା ।
ଅତ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ରୀତିନୀତି ସରିଥିବାରୁ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟବାସୀ, ବିଶେଷ କରି ପୁରୀ ସହରବାସୀଙ୍କ ସହଯୋଗ ଯୋଗୁଁ ଏଥର ରଥଯାତ୍ରା ଶୃଙ୍ଖଳାଦାୟକ ଭାବେ ହୋଇଥିବା ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ।
Powered by Froala Editor