ଏବେ ଥଣ୍ଡା : ୧୫ରୁ ୧୭ ଡିଗ୍ରୀକୁ ଖସି ଯାଇପାରେ ପାରଦ
ନଭେମ୍ବରରେ ରାଜ୍ୟରେ କମ୍ ଶୀତ ଅନୁଭୂତ ହେବ । ଏ ମାସରେ ଦେଶର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । କେବଳ ଉତ୍ତର-ପଶ୍ଚିମ ଭାରତର କିଛି ସ୍ଥାନରେ ସ୍ୱାଭାବିକ ବା ସ୍ୱାଭାବିକଠାରୁ କମ୍ ତାପମାତ୍ରା ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ଆକଳନ କରିଛି ।
ଆସନ୍ତା ୨ ତାରିଖରୁ ରାଜ୍ୟରେ ପାଗ ଶୁଖିଲା ହେବ । ମେଘୁଆ ପାଗ ଦୂରେଇଯିବ । ପାଗ ଶୁଖିଲା ସହ ରାତିର ପାରଦ ବି ତଳମୁହାଁ ହେବ । ରାତି ତାପମାତ୍ରା ପ୍ରାୟ ୩ରୁ ୪ ଡିଗ୍ରୀ କମିଯିବ । ଝାରସୁଗୁଡ଼ା, ରାଉରକେଲା, ପାଲଲହଡ଼ା, ବାଦାମପାହାଡ଼ରେ ପାରଦ ୧୫ରୁ ୧୭ ଡିଗ୍ରୀକୁ ଖସି ଯାଇପାରେ ପୂର୍ବାନୁମାନ କରାଯାଉଛି ।
ଅକ୍ଟୋବର ମାସରେ ରାଜ୍ୟରେ ସ୍ୱାଭାବିକ ଠାରୁ ୫୪% ଅଧିକ ବର୍ଷା ହୋଇଛି । ୮ଟି ଜିଲ୍ଲା ସୋନପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତିରେ ସ୍ୱାଭାବିକ ଠାରୁ ୬୦ ପ୍ରତିଶତରୁ ଅଧିକ ବର୍ଷା ହୋଇଛି । ୧୩ଟି ଜିଲ୍ଲା ବରଗଡ଼, ସମ୍ବଲପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କଟକ୍, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କେନ୍ଦ୍ରାପଡ଼ା, ନୟାଗଡ଼ ଓ ଓ କନ୍ଧମାଳରେ ୨୦ରୁ ୫୯ ପ୍ରତିଶତ ଅଧିକ ବର୍ଷା ହୋଇଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି, ରାଜ୍ୟକୁ ଉତ୍ତରା ପବନ ବହିବା ଆରମ୍ଭ କରିଛି । ଏବେ ଯେଉଁ ମେଘୁଆ ପାଗ ଅଛି, ତାହା ଧୀରେ ଧୀରେ ପଳାଇବ । ପହିଲି ଶୀତ ଆରମ୍ଭ ହେବ ।
Powered by Froala Editor