ନିଜକୁ ସ୍ପେଶାଲିଷ୍ଟ କହି ଚିକିତ୍ସା କରୁଛନ୍ତି ନକଲି ଡାକ୍ତର
ରାଜ୍ୟର ବିଭିନ୍ନ ସ୍ଥାନରେ ନକଲି ଡାକ୍ତରଙ୍କ ଚିକିତ୍ସା ଯୋଗୁଁ ଅନେକ ସମୟରେ ଲୋକମାନେ ପ୍ରାଣ ହରାଇବା ଅଭିଯୋଗ ହୋଇଆସୁଛି। କ୍ବାକ୍ ଚିକିତ୍ସାରେ ନିୟନ୍ତ୍ରଣ ଆଣିବା ଲାଗି ଗତବର୍ଷ ଏପ୍ରିଲ ମାସରେ ରାଜ୍ୟ ସରକାର ଜିଲ୍ଲା କ୍ବାକ୍ ନିରୋଧୀ ସେଲ୍ ଗଠନ ସଂପର୍କରେ ବିଜ୍ଞପ୍ତି ଜାରି କରିଥିଲେ। ଏଥିରେ ଜିଲ୍ଲାପାଳ, ଏସ୍ପିଙ୍କ ପ୍ରତିନିଧି, ସିଡିଏମ୍ଓ, ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷଙ୍କ ପ୍ରତିନିଧି ଓ ଭାରତୀୟ ମେଡିକାଲ ସଂଘର ପ୍ରତିନିଧି ସଦସ୍ୟ ରହିଛନ୍ତି। ହେଲେ ଜିଲ୍ଲାସ୍ତରରେ ଏହି କ୍ବାକ୍ ନିରୋଧୀ ସେଲ୍ର ପ୍ରଦର୍ଶନ ଆଦୌ ଉତ୍ସାହଜନକ ନୁହେଁ। କ୍ବାକ୍ମାନେ ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି।
ବିଶେଷକରି ରାଜଧାନୀ ଉପକଣ୍ଠରେ ଏଭଳି ନକଲି ଡାକ୍ତରଙ୍କ ପେଣ୍ଠସ୍ଥଳୀ ପାଲଟିଛି। ଭୁବନେଶ୍ବର ଉପକଣ୍ଠ କଳିଙ୍ଗ ବିହାରରେ ଏଭଳି ଜଣେ କ୍ବାକ୍ ଚିକିତ୍ସା କରୁଥିବା ଅଭିଯୋଗ ଆସିଛି। ଜଣେ ୫୩ବର୍ଷର ପୁରୁଷ ତାଙ୍କ ପାଇଁ ଗତ ଜୁନ୍ ମାସରେ ଚିକିତ୍ସା ପାଇଁ ଯାଇଥିଲେ। ମାତ୍ର ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନ ଆସିବାରୁ ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ। ସେଠାରେ ଏହି ପ୍ରେସ୍କ୍ରିପସନ୍କୁ ଦେଖାଇବା ପରେ ସଂପୃକ୍ତ ଡାକ୍ତରଙ୍କୁ ନେଇ ସନ୍ଦେହ ବଢ଼ିଥିଲା।
ନିଜକୁ ଡାକ୍ତର କହୁଥିବା ବ୍ୟକ୍ତି ଜଣକ ତାଙ୍କର ପ୍ରେସ୍କ୍ରିପସନ୍ରେ ଡାକ୍ତରୀ ପଞ୍ଜୀକରଣ ନମ୍ବର ଉଲ୍ଲେଖ କରିନାହାନ୍ତି। ଡିଗ୍ରିରେ ଲେଖିଛନ୍ତି ‘ସିନିଅର ମେଡିସିନ୍ ସ୍ପେଶାଲିଷ୍ଟ ଓ ଡାଏବେଟୋଲୋଜିଷ୍ଟ’। ସାଧାରଣଭାବେ ଡାଇବେଟିକ୍ ବା ମଧୁମେହ ରୋଗର ଚିକିତ୍ସା କରୁଥିବା ବିଶେଷଜ୍ଞଙ୍କୁ ଡାକ୍ତରୀ ଭାଷାରେ ଏଣ୍ଡୋକ୍ରାଇନୋଲୋଜିଷ୍ଟ ବୋଲି କୁହାଯାଏ। ସାଧାରଣ ଲୋକଙ୍କ ବୁଝିବା ପାଇଁ କେହି କେହି ଏଣ୍ଡୋକ୍ରାଇନୋଲୋଜିଷ୍ଟଙ୍କ ସହ ଡାଇବେଟିସ୍ ବୋଲି ଉଲ୍ଲେଖ କରିଥା’ନ୍ତି। ଡାକ୍ତରୀ ବିଜ୍ଞାନରେ ଏଭଳି କୌଣସି ଡିଗ୍ରି ସଂପର୍କରେ କେହି ଜାଣିନାହାନ୍ତି।
ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଡା.ବିଜୟ ମହାପାତ୍ର କହିଛନ୍ତି, ବିନା ଡାକ୍ତରୀ ପଞ୍ଜୀକରଣରେ କୌଣସି ଏମ୍ବିବିଏସ୍ ଡାକ୍ତର ଚିକିତ୍ସା କରିପାରିବେ ନାହିଁ। ଯଦି କୌଣସି ଡାକ୍ତରଙ୍କ ଉପରେ ସାଧାରଣ ଲୋକଙ୍କ ସନ୍ଦେହ ଉପୁଜୁଛି ତାହାଲେ ସେମାନେ ଜିଲ୍ଲାସ୍ତରରେ ଥିବା କ୍ବାକ୍ ନିରୋଧୀ ସେଲ୍କୁ ଜଣାନ୍ତୁ। ବୋଲି କହିଛନ୍ତି।
Powered by Froala Editor