ଏହି ଅଞ୍ଚଳରେ ଭୂସ୍ଖଳନ ଭୟ
ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ମନ୍ଥା’କୁ ନେଇ ଅଗ୍ନିଶମ ଓ ଜରୁରୀକାଳୀନ ସେବା ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛି। ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲାରେ ଏଥିଯୋଗୁଁ ଭୂସ୍ଖଳନ(ଲ୍ୟାଣ୍ଡ ସ୍ଲାଇଡ୍) ଆଶଙ୍କା ରହିଛି। ବିଶେଷକରି ଗଜପତି ଜିଲାର ଆର୍ ଉଦୟଗିରି, ହୁମା, ମୋହନା ଓ ରାୟଗଡ଼ା, ମାଲକାନଗିରି ଜିଲା ଖଇରପୁଟ ବ୍ଲକର ମୁଦୁଲିପଡ଼ା, ବଣ୍ଡାଘାଟି, ଚିତ୍ରକୋଣ୍ଡା ଓ କଳାହାଣ୍ଡିର କଳିଙ୍ଗାଘାଟି, ଥୁଆମୂଳ ରାମପୁର ଏବଂ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଓ ସରୋଡ଼ା ଆଦି ଅଞ୍ଚଳର କିଛି ସ୍ଥାନରେ ପାହାଡ଼ରୁ ମାଟି ଅତଡ଼ା ଖସି ଭୂସ୍ଖଳନ ହେବା ଭୟ ରହିଛି। ଯେକୌଣସି ସ୍ଥିତିର ମୁକାବିଲା ଲାଗି ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ମାଲକାନଗିରି ଜିଲା ଚିତ୍ରକୋଣ୍ଡାରୁ ଗଜପତିର ମହେନ୍ଦ୍ରଗିରି ପର୍ଯ୍ୟନ୍ତ ପାହାଡ଼ିଆ ଅଞ୍ଚଳ ଲମ୍ବିଛି। ମାଟି ଅତଡ଼ା ଖସିବା ସହ ଭୂସ୍ଖଳନ ହେବାର ସମ୍ଭାବନା ଥିବାରୁ ପାହାଡ଼ିଆ ଅଞ୍ଚଳର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ଯିବା ଲାଗି ପରାମର୍ଶ ଦିଆଯାଇଛି। କିଛି ଅସୁବିଧା ହେଲେ ସ୍ଥାନୀୟ ପ୍ରଶାସନର ସହଯୋଗ ନିଅନ୍ତୁ ଓ ସୂଚନା ଦିଅନ୍ତୁ ବୋଲି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।
ସେହିଭଳି ବାତ୍ୟାର ମୁକାବିଲା ସହ ଲୋକଙ୍କୁ ସ୍ଥାନାନ୍ତର ଓ ଉଦ୍ଧାର ଲାଗି ୧୩୦ ଦଳ ସକ୍ରିୟ ଅଛନ୍ତି। ରାସ୍ତାରେ ଗଛ ପଡ଼ି ଅବରୋଧ ହେଲେ ତୁରନ୍ତ ସଫା କରାଯିବ। ଯେମିତି ରିଲିଫ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଗାଡ଼ି ଯିବାରେ କୌଣସି ଅସୁବିଧା ହେବନି, ତା’ଉପରେ ବି ଗୁରୁତ୍ବ ଦିଆଯାଉଛି। ବୁଡ଼ି ଯାଉଥିବା ଲୋକଙ୍କୁ ଉଦ୍ଧାର ପାଇଁ ଅଭିଜ୍ଞ ଅଗ୍ନିଶମ ଅଧିକାରୀଙ୍କୁ ଦାୟିତ୍ୱ ମଧ୍ୟ ଦିଆଯାଇଛି। ଅନୁରୂପ ଭାବେ ସମୁଦ୍ର କୂଳଗୁଡ଼ିକରେ ଲାଇଫଗାର୍ଡମାନେ ସଜାଗ ଅଛନ୍ତି। ପୁରୀରେ ଅଗ୍ନିଶମ ବିଭାଗ ପକ୍ଷରୁ ୧୦୦ ଜଣ ଲାଇଫଗାର୍ଡ ଓ ଗୋପାଳପୁରରେ ୫୦ରୁ ଅଧିକ ଲାଇଫଗାର୍ଡଙ୍କୁ ନିୟୋଜିତ କରାଯାଇଛି। ଲୋକଙ୍କୁ ସମୁଦ୍ର ଭିତରକୁ ନ ଛାଡ଼ିବା ପାଇଁ ନିର୍ଦେଶ ଦିଆଯାଇଛି।
Powered by Froala Editor