ମନ୍ଥା ପାଇଁ ବଢିଲା ଆଳୁ ଦର
ଭୁବନେଶ୍ବର: ବାତ୍ୟା ମନ୍ଥା ଆଳୁ ଦର ବଢାଇଛି। କେଜି ପ୍ରତି ହଠାତ୍ ୧୦ ଟଙ୍କା ବଢ଼ିଛି। ଯିଏ ୨ କେଜି ନେବା କଥା; ସେ ୨୦ କିଲୋ ଆଳୁ ନେଉଛନ୍ତି। ଖାଉଟିଙ୍କ ଚାହିଦା ଦେଖି କିଛି ଅସାଧୁ ବ୍ୟବସାୟୀ ଆଳୁ ମହଜୁଦ ରଖି ମୂଲ୍ୟ ବଢ଼ାଇଛନ୍ତି। ରାତାରାତି ଆଳୁ ବସ୍ତା ୫୫୦ରୁ ୮୫୦କୁ ବୃଦ୍ଧି ପାଇଛି। ସେହିପରି କାର୍ତ୍ତିକ ମାସରେ ପିଆଜ କେଜି ପ୍ରତି ୫ ଟଙ୍କା ବଢ଼ିଛି। ଏପରି କିଛି ଅସାଧୁ ବ୍ୟବସାୟୀଙ୍କୁ ପଶ୍ଚିମବଙ୍ଗର କାଳୀପୂଜା ସହ ଓଡ଼ିଶାରେ ବାତ୍ୟା ଡର ସୁହାଇଛି।
ଏସଂକ୍ରାନ୍ତରେ କୁବେରପୁରୀ ବ୍ୟବସାୟୀ ସଂଘର ସମ୍ପାଦକ ଶକ୍ତିକାନ୍ତ ମିଶ୍ର କହିଛନ୍ତି, ଆଳୁ ମହଜୁଦ ଅଛି, ଆମଦାନୀ ସମୟରେ ଖାଉଟିଙ୍କ ଦ୍ବାରା ଅଭାବ ଦେଖାଦେଇଛି। ଆଉ ୨/୩ ଦିନ ମଧ୍ୟରେ ସୁଧାର ଆସିବ। କଲକାତାରେ ଏବେ କାଳୀପୂଜା ଉତ୍ସବ ଚାଲିଛି। ସେଠାରେ ଅଧିକାଂଶ ଗଦି ଗତ ଦୁଇ ଦିନ ହେବ ବନ୍ଦ ରହିଛି। ଫଳରେ ଆମଦାନୀ କମିଛି। ଏଣେ ବାତ୍ୟା ସୂଚନା ପାଇ ଲୋକେ ବସ୍ତା ବସ୍ତା ଆଳୁ ନେଉଛନ୍ତି। ପିଆଜ ମଧ୍ୟ ଖାଉଟି ନେଇ ଯାଇଥିଲେ। ସୋମବାର ସକାଳୁ ବଜାରରେ ଆଳୁର ଅଭାବ ଦେଖା ଦେଇଥିଲା। ଏପରିକି ଚୁଡ଼ା, ମହମବତି ଓ ଦିଆସିଲି ମଧ୍ୟ ଲୋକେ ଅଧିକ କିଣିଛନ୍ତି। କାର୍ତ୍ତିକରେ ପରିବା ଦର ବୃଦ୍ଧି ପାଇବା ସ୍ବାଭାବିକ। ମନ୍ଥା ଲାଗି କେଜି ପ୍ରତି ୮୦ ଟଙ୍କା ତଳକୁ ନାହିଁ କୌଣସି ପରିବା ମୂଲ୍ୟ।
Powered by Froala Editor