ପ୍ରବଳ ବର୍ଷା ସମ୍ଭାବନା: ସମୁଦ୍ର ଗାଧୁଆ ଉପରେ କଟକଣା ଜାରି
ପୁରୀ: ବାତ୍ୟା ପ୍ରଭାବରେ ପୁରୀ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଗାଧୁଆ ଉପରେ କଟକଣା ଜାରି କରାଯାଇଛି। ବେଳାଭୂମିରେ ପୁଲିସ ଓ ଅଗ୍ନିଶମ ବାହିନୀ ମୁତୟନ ହୋଇଛନ୍ତି। ଏହାଛଡ଼ା ପେଣ୍ଠକଟାରୁ ଶିପସରୁବାଲି ପର୍ଯ୍ୟନ୍ତ ଅଞ୍ଚଳରେ ୩ ଶହ ଲାଇଫ ଗାର୍ଡ ସଜାଗ ହୋଇ ରହିଛନ୍ତି।
ପୁରୀ, ବ୍ରହ୍ମଗିରି, କୃଷ୍ଣପ୍ରସାଦ, ଗୋପ, କୋଣାର୍କ, ଅସ୍ତରଙ୍ଗ ଓ କାକଟପୁର ବ୍ଲକର ସମୁଦ୍ରକୂଳରେ ବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ସେମାନଙ୍କ ପାଇଁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକୁ ପ୍ରସ୍ତୁତ କରି ରଖାଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ୧୧ ବ୍ଲକରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି। ପ୍ରବଳ ବର୍ଷା ପ୍ରଭାବରେ ଗଛ ଡ଼ାଳ ଓ କଚ୍ଚା ଘର ଭାଙ୍ଗିବା ଆଶଙ୍କା ରହିଛି। ରାସ୍ତାରୁ ଗଛ ସଫା କରିବା ପାଇଁ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ପ୍ରସ୍ତୁତ ହୋଇ ରହିଛନ୍ତି। ସମୁଦ୍ର ଏବଂ ଚିଲିକା ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କ ସମେତ ସ୍ଥାନୀୟ ଅଧିବାସୀଙ୍କୁ ପରାମର୍ଶ ଦିଆଯାଇଛି। ସ୍ଥାନାନ୍ତର ହେଉଥିବା ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ। ଏଥିପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ଏହାଛଡ଼ା ଯୋଗାଣ ବିଭାଗ ପକ୍ଷରୁ ଚୁଡ଼ା ଓ ଗୁଡ଼ ମହଜୁଦ ରଖାଯାଇଛି।
Powered by Froala Editor