ସଲମାନଙ୍କୁ ଆତଙ୍କବାଦୀ ନଜର ତାଲିକାରେ
ପାକିସ୍ତାନ ହିନ୍ଦୀ ଚଳଚ୍ଚିତ୍ର ସୁପରଷ୍ଟାର ସଲମାନ ଖାନଙ୍କୁ ଆତଙ୍କବାଦୀ ୱାଚଲିଷ୍ଟରେ ରଖିଛି। ନିକଟରେ ସାଉଦି ଆରବରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସଲମାନଙ୍କ ବୟାନ ତାଙ୍କୁ ଅଡୁଆ ସ୍ଥିତିରେ ପକାଇଛି। ଉତ୍ସବରେ ବେଲୁଚିସ୍ତାନକୁ ସ୍ବତନ୍ତ୍ର ରାଷ୍ଟ୍ର ବୋଲି ଉଲ୍ଲେଖ କରିଥିବାରୁ ପାକିସ୍ତାନ ସରକାର ସଲମାନଙ୍କ ଉପରେ ଏକପ୍ରକାର ଖପ୍ପା ହୋଇପଡିଛନ୍ତି। ପାକ୍ ସରକାରଙ୍କ ପକ୍ଷରୁ ସଲମାନଙ୍କୁ ଆତଙ୍କବାଦୀ ନଜର ତାଲିକା (ଟେରର ୱାଚ୍ଲିଷ୍ଟ)ରେ ରଖାଯାଇଛି।
ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସରକାର ସଲମାନ ଖାନଙ୍କୁ ଦେଶର ଆତଙ୍କବାଦ ବିରୋଧୀ ଆଇନ (୧୯୯୭) ଅଧୀନରେ ଚତୁର୍ଥ ସୂଚୀରେ ସାମିଲ କରିଥିବା ଜଣାପଡ଼ିଛି। ଏହି ତାଲିକାରେ ସାଧାରଣତଃ ଉଗ୍ରବାଦୀ ସଂଗଠନ କିମ୍ବା କାର୍ଯ୍ୟକଳାପ ସହିତ ଲିଙ୍କ୍ ଥିବା ସନ୍ଦେହ କରାଯାଉଥିବା ବ୍ୟକ୍ତିମାନଙ୍କୁ ଅନ୍ତର୍ଭୁକ୍ତ କରାଯାଏ। ଏହି ତାଲିକାରେ ଥିବା ବ୍ୟକ୍ତିମାନେ ତୀକ୍ଷ୍ନ ନଜରରେ ରହିବା ସହ ସମ୍ଭାବ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୁଅନ୍ତି।
ସଲମାନ ତାଙ୍କ ଭାଷଣରେ କହିଥିଲେ ଯେ ଯଦି ଆପଣ ଏକ ହିନ୍ଦୀ ଚଳଚ୍ଚିତ୍ର ନିର୍ମାଣ କରି ଏହାକୁ ସାଉଦି ଆରବରେ ମୁକ୍ତିଲାଭ କରାଇବେ, ତେବେ ଏହା ସୁପରହିଟ୍ ହେବ। ଯଦି ଆପଣ ତାମିଲ, ତେଲୁଗୁ କିମ୍ବା ମାଲାୟଲି ଚଳଚ୍ଚିତ୍ର ନିର୍ମାଣ କରି ମୁକ୍ତିଲାଭ କରାଇବେ, ତେବେ ଏହା କୋଟି କୋଟି ଟଙ୍କାର ରାଜସ୍ବ ଆଦାୟ କରିବ; କାରଣ ପାକିସ୍ତାନ, ଆଫ୍ଗାନିସ୍ତାନ ଏବଂ ବେଲୁଚିସ୍ତାନ ଭଳି ଦେଶର ଲୋକ ସାଉଦି ଆରବରେ ବାସ କରୁଛନ୍ତି। ବେଲୁଚିସ୍ତାନ ପାକିସ୍ତାନର ଏକ ପ୍ରଦେଶ ହୋଇଥିବାବେଳେ ଏହାକୁ ସ୍ବତନ୍ତ୍ର ରାଷ୍ଟ୍ର ବୋଲି କହିବା ନିଶ୍ଚିତଭାବେ ବିବାଦୀୟ। ଏହି ପରିପ୍ରେକ୍ଷୀରେ ପାକିସ୍ତାନ ସରକାର ଆତଙ୍କବାଦ ନିରୋଧ ଆଇନ ୧୯୯୭ର ୪ର୍ଥ ଅନୁଚ୍ଛେଦରେ ସଲମାନଙ୍କୁ ସାମିଲ କରିଛନ୍ତି।
Powered by Froala Editor