ହସାଉଥିଲେ, କନ୍ଦାଇ ଚାଲିଗଲେ ସତୀଶ
ଭେଟେରାନ ଅଭିନେତା ସତୀଶ ଶାହାଙ୍କ ଶନିବାର ଅପରାହ୍ନରେ ପରଲୋକ ଘଟିଛି। ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଟେଲିଭିଜନ ଏବଂ ବଲିଉଡ ଜଗତରେ ଦୀର୍ଘ ୪୦ ବର୍ଷ ଧରି ଦର୍ଶକଙ୍କ ମନୋରଞ୍ଜନ କରାଉଥିବା ସତୀଶ ଶାହ ଥିଲେ ଜଣେ ଅନନ୍ୟ ହାସ୍ୟାଭିନେତା। ୭୪ ବର୍ଷ ବୟସରେ ତାଙ୍କ ପରଲୋକ ଘଟିବା ପରେ ଏହା ବଲିଉଡ ଏବଂ ଟେଲିଭିଜନ ଜଗତରେ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ସାଥୀ କଳାକାର।
‘ସରାଭାଇ Vs ସରାଭାଇ’, ଜାନେ ଭି ଦୋ ୟାରୋ ଏବଂ ମୈ ହୁଁ ନା’ରେ ତାଙ୍କ ଦମ୍ଦାର ଅଭିନୟ ପାଇଁ ସେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ। ୧୦୦ରୁ ଅଧିକ ଫିଲ୍ମରେ ହାସ୍ୟାଭିନେତା ଭୂମିକାରେ ନଜର ଆସିଥିଲେ ସତୀଶ । ଏହି ୭୪ ବର୍ଷୀୟ ଭେଟେରାନ ଅଭିନେତା କିଡ୍ନୀ ଜନିତ ରୋଗ ସହିତ ସଂଘର୍ଷ କରୁଥିଲେ। ଏପରିକି ତାଙ୍କର କିଡ୍ନୀ ପ୍ରତିରୋପଣ ବି କରାଯାଇଥିଲା। ଆଜି ଅଚାନକ ତାଙ୍କ ନିଧନ ହୋଇଗଲା।
ଚଳଚ୍ଚିତ୍ର ନିର୍ମାତା ବିବେକ ଶର୍ମା ସତୀଶଙ୍କ ମୃତ୍ୟୁରେ ମର୍ମାହତ ହୋଇ କହିଛନ୍ତି, ସେ ଆଜି ସକାଳେ ତାଙ୍କ ସହିତ କଥା ହୋଇଥିଲେ। ସତୀଶ ତାଙ୍କୁ ଏକ ସେଲଫି ପଠାଇଥିଲେ। ମଜାଳିଆ ଅନ୍ଦାଜରେ ସତୀଶ କହିଥିଲେ ସେ ୨୦/୨୨ କିଲୋଗ୍ରାମ ଓଜନ ହ୍ରାସ କରିଦେଇଛନ୍ତି। ଏବେ ସେ ଅଧିକ ହ୍ୟାଣ୍ଡସମ ଦେଖାଯାଉଛନ୍ତି। କିନ୍ତୁ ଅପରାହ୍ନରେ ହଠାତ ତାଙ୍କ ଦେହାନ୍ତ ଖବର ସ୍ତବ୍ଧ କରିଛି।
Powered by Froala Editor