ମହିଳା ଡାକ୍ତରଙ୍କ ଆତ୍ମହତ୍ୟା: ଅଭିଯୁକ୍ତଙ୍କ ଭଉଣୀ କଲେ ବଡ଼ ଖୁଲାସା
ମହାରାଷ୍ଟ୍ରର ସତାରା ଜିଲାରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତର ଗୁରୁବାର ରାତିରେ ଆତ୍ମହତ୍ୟା କରିଛନ୍ତି। ତେବେ ଡାକ୍ତରଙ୍କ ଆତ୍ମହତ୍ୟା ଘଟଣାରେ ନୂଆ ମୋଡ଼। ଅଭିଯୁକ୍ତ ପୁଲିସକର୍ମୀ ପ୍ରଶାନ୍ତ ବାଙ୍କରଙ୍କ ପ୍ରେମରେ ଥିଲେ ମୃତକ। ବିବାହ ପାଇଁ ବାଧ୍ୟ କରୁଥିବା ବେଳେ ରାଜି ନଥିଲେ ଅଭିଯୁକ୍ତ। ଅଭିଯୁକ୍ତଙ୍କ ଭଉଣୀ ଏହି ଖୁଲାସା କରିଛନ୍ତି।
ଅଭିଯୁକ୍ତଙ୍କ ଭଉଣୀ ସ୍ବାତୀ ଯାଦବ କହିଛନ୍ତି ଯେ, ମୃତ ଡାକ୍ତର ପ୍ରଶାନ୍ତଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଏଥିପାଇଁ ସେ କିଛି ଦିନ ପୂର୍ବରୁ ତାଙ୍କ ଭାଇଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ହେଲେ ବିବାହ ପାଇଁ ପ୍ରସ୍ତୁତ ନଥିଲେ ପ୍ରଶାନ୍ତ। ଉଭୟଙ୍କ ମଧ୍ୟରେ ଏନେଇ ମତଭେଦ ସୃଷ୍ଟି ହୋଇଥିଲା।
ସୂଚନାଯୋଗ୍ୟ ଏହି ମହିଳା ଡାକ୍ତର ସତାରା ଜିଲାର ଫାଲଟନ୍ ସବ୍ଡିଭିଜିନାଲ ହସ୍ପିଟାଲରେ ମେଡିକାଲ ଅଫିସର ଭାବେ କାର୍ଯ୍ୟରତ ଥିଲେ। ଆଜକୁ ପ୍ରାୟ ଛୟ ମାସ ପୂର୍ବେ ଗୋପାଳ ବାଦ୍ନେ ଓ ପ୍ରଶାନ୍ତ ବାନ୍କର ନାମକ ଦୁଇ ପୁଲିସ ଅଧିକାରୀ ତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରି ସେ ଫାଲଟନ ଡିଏସ୍ପିଙ୍କ ନିକଟରୁ ଏକ ଚିଠି ଲେଖିଥିଲେ। ତଦନ୍ତ କରି ସଂପୃକ୍ତ ଦୁଇ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଥିଲା।
ତେବେ ଗୋପାଳ ବାଦ୍ନେ ବିଗତ ପାଞ୍ଚମାସ ମଧ୍ୟରେ ତାଙ୍କୁ ଚାରିଥର ଦୁଷ୍କର୍ମ କରିଥିବାବେଳେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ମଧ୍ୟ ସୁଇସାଇଡ୍ ନୋଟରେ ଉଲ୍ଲେଖ କରାଯାଇଛି। ଏହା ଜଣାପଡିବା ପରେ ସଂପୃକ୍ତ ପୁଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି।
Powered by Froala Editor