ଦୀପାବଳି ପରେ ଦିଲ୍ଲୀ ବାୟୁ ପୁଣି ଦୂଷିତ
ଦୀପାବଳି ପରେ ଦିଲ୍ଲୀର ବାୟୁ ପୁଣି ଦୂଷିତ ହୋଇଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟ ସୀମାକୁ ଉଲ୍ଲଂଘନ କରି ଲଗାତର ଭାବେ ବାଣ ମାରି ଚାଲିଥିଲେ ଦିଲ୍ଲୀ ବାସିନ୍ଦା। ଯାହାଫଳରେ ରାତି ଅଧରେ ଆକାଶ ଦିଶୁଥିଲା ବେଶ୍ ଧୂଆଁଳିଆ। ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) 'ଗମ୍ଭୀର' ବର୍ଗକୁ ଖସିଯାଇଛି।
ସୋମବାର ରାତି ପ୍ରାୟ ୧. ୩୦ ମିନିଟରେ ଲକ୍ଷ୍ନୌର ଏୟାର କ୍ବାଲିଟି ଇଣ୍ଡେକ୍ସ(ଏକ୍ୟୁଆଇ) ୧୩୧୭ ଥିବାବେଳେ ନୂଆଦିଲ୍ଲୀର ଏକ୍ୟୁଆଇ ୯୯୧ ଏବଂ ନୋଏଡାର ଏକ୍ୟୁଆଇ ୭୭୭ ପହଞ୍ଚିଯାଇଥିଲା। ତେବେ ମଙ୍ଗଳବାର ସୂର୍ଯ୍ୟ ଉଦୟ ପରେ ଏଥିରେ ସାମାନ୍ୟ ସୁଧାର ଦେଖାଯାଇଛି। ସୁପ୍ରିମକୋର୍ଟ ଦୀପାବଳିରେ ଦିଲ୍ଲୀ-ଏନସିଆରେ ରାତି ୮ଟାରୁ ୧୦ ମଧ୍ୟରେ ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଥିଲେ। ତେବେ ଅନେକ ନାଗରିକ ଏହି ନିୟମ ଉଲ୍ଲଙ୍ଘନ କରିଛନ୍ତି ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଣ ଫୁଟାଇଥିଲେ। ଫଳରେ ପ୍ରଦୂଷଣ ମାତ୍ରା ବଢିଛି। ଅନ୍ୟପଟେ ଏହାକୁ ନେଇ ଆମ ଆଦମୀ ପାର୍ଟିର ନେତା ସୌରଭ ଭରଦ୍ବାଜ ଦିଲ୍ଲୀ ସରକାରଙ୍କୁ ଘେରିଛନ୍ତି।
ଉଳ୍ଲେଖଯୋଗ୍ୟ, ଚଳିତବର୍ଷ ସୁପ୍ରିମକୋର୍ଟ ୧୮ ରୁ ୨୦ ଅକ୍ଟୋବର ପର୍ଯ୍ୟନ୍ତ ଦିଲ୍ଲୀ-ଏନସିଆର ଅଞ୍ଚଳରେ ସବୁଜ ବାଣକୁ ଅନୁମତି ଦେଇଥିଲେ, କେବଳ ଦୁଇଟି ସମୟ ସ୍ଲଟ୍ ମଧ୍ୟରେ, ସକାଳ ୬ ରୁ ୭ ଏବଂ ସନ୍ଧ୍ୟା ୮ ରୁ ରାତି ୧୦ ପର୍ଯ୍ୟନ୍ତ। ତଥାପି, କେହି ନିୟମ ପାଳନ କରିନଥିଲେ। ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଏବଂ ପରେ ବାଣ ଫୁଟିଥିଲା।
ଆମ ଆଦମୀ ପାର୍ଟିର ନେତା ସୌରଭ ଭରଦ୍ବାଜ ସରକାରଙ୍କ ଉପରେ ଅଭିଯୋଗ ଲଗାଇ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି କି ପୂର୍ବରୁ ଦିଲ୍ଲୀ ସରକାରଙ୍କ ଜିଲାପାଳ, ତାଙ୍କ ଟିମ୍ ଓ ଦିଲ୍ଲୀ ପୁଲିସ ବାଣର ଅବୈଧ ବିକ୍ରି ଉପରେ ରୋକ ଲଗାଇଲେନାହିଁ। ସୁପ୍ରିମକୋର୍ଟ କେବଳ ସବୁଜ ବାଣକୁ ଅନୁମତି ଦେଇଥିଲେ; କିନ୍ତୁ ଦିଲ୍ଲୀ ସରକାର ଏହାକୁ ପାଳନ କଲେନି ବୋଲି ସେ କହିଛନ୍ତି। ସରକାର ଏକ୍ୟୁଆଇ ତଥ୍ୟ ଲୁଚାଉଛନ୍ତି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି।
Powered by Froala Editor