ନୂଆପଡ଼ା ଉପ-ନିର୍ବଚାନ: ବିଜେଡି ପକ୍ଷରୁ ରଣନୀତି ଜୋରଦାର୍
ଭୁବନେଶ୍ବର: ନୂଆପଡ଼ା ଉପ-ନିର୍ବଚାନ ପାଇଁ ନାମାଙ୍କନ ସରିଥିବାବେଳେ ତିନି ପ୍ରମୁଖ ଦଳ ମଧ୍ୟରେ କସରତ ଆରମ୍ଭ ହୋଇଛି। ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଦଖଲରେ ଥିବା ଏହି ଆସନ ପୁନର୍ବାର ଦଳ ଖାତାକୁ କିଭଳି ଫେରିବ ତାକୁ ନେଇ ଦଳ ପକ୍ଷରୁ ରଣନୀତି କରାଯାଇଛି। ବିଜେଡିର ୫୨ ତୁଙ୍ଗ ନେତାଙ୍କୁ ୨ଟି ବ୍ଲକ ଏବଂ ୨ଟି ଏନ୍ଏସସି ଦାୟିତ୍ବ କିଛିଦିନ ପୂର୍ବେ ଦେଇଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ।
ବିଜେଡିର ଦାୟିତ୍ବ ପାଇଥିବା ନେତାଙ୍କ ମଧ୍ୟରୁ ଅଧିକାଂଶଙ୍କୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସିଧାସଳଖ ଭାବେ ଫୋନ୍ କରିଥିଲେ। ସେଠାରେ କିଭଳି ଦଳର ପ୍ରାର୍ଥୀ ବିଜୟୀ ହେବେ ସେନେଇ କାମ କରିବାକୁ ନେତାଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟ କିଛି ନେତାଙ୍କୁ ଦଳର ବରିଷ୍ଠ ନେତା ଫୋନ୍ କରିଥିଲେ। ଦୀର୍ଘଦିନ ହେଲାଣି ବିଜେଡି ଦଖଲରେ ଥିବା ଏହି ଆସନ ରକ୍ଷା କରିବାକୁ ବିଜେଡି ଆପ୍ରାଣେ ଉଦ୍ୟମ କରିବା ଆରମ୍ଭ କରିଛି। ପୂର୍ବରୁ ବିଜେଡି ପକ୍ଷରୁ ଉପ-ନିର୍ବାଚନ ପରିଚାଳନାକୁ ନେଇ ଗଠନ ହୋଇଥିବା କମିଟିରେ ବହୁ ବରିଷ୍ଠ ଓ ଉପକୂଳ ନେତା ବାଦ୍ ପଡ଼ିଥିଲେ। ସେତେବେଳେ ପ୍ରାୟ ବହୁ ବରିଷ୍ଠ ନେତାଙ୍କୁ ସୁଯୋଗ ମିଳି ନଥିଲା। ମାତ୍ର ନିକଟରେ ୨ଟି ବ୍ଲକ ଏବଂ ୨ଟି ଏନ୍ଏସିରେ ନିର୍ବାଚନ ପରିଚାଳନା କାର୍ଯ୍ୟରେ ପଶ୍ଚିମ ଓଡ଼ିଶା ସହ ଉପ-କୂଳିଆ ନେତାଙ୍କୁ ସୁଯୋଗ ମିଳିଛି। ଏବେ ଏହି ନେତାଙ୍କୁ ପଞ୍ଚାୟତ ଏବଂ ଏନ୍ଏସି ଅଞ୍ଚଳରେ ୱାର୍ଡ ଆବଣ୍ଟନ କରାଯାଇଛି। ଆବଣ୍ଟନ ହୋଇଥିବା ଅଞ୍ଚଳରେ କିଭଳି ଦଳର ଫଳ ଭଲ ହେବ ସେନେଇ କାମ କରିବାରେ ଲାଗି ଗଲେଣି ଦାୟିତ୍ବ ପାଇଥିବା ନେତା।
Powered by Froala Editor