କଟକରେ ବୃଦ୍ଧି ପାଇବାରେ ଲାଗିଛି ବାୟୁ ପ୍ରଦୂଷଣ, ଏୟାର କ୍ବାଲିଟି ଇଣ୍ଡେକ୍ସ ସୂଚକାଙ୍କ ତଥ୍ୟ ଚିନ୍ତାଜନକ
କଟକ: କଟକ ସହରରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଧୂଳି, ଧୂଆଁ ଓ ଆବର୍ଜନା ବୃଦ୍ଧି ଯୋଗୁ ଲୋକେ ଅଣନିଃଶ୍ବାସୀ ହୋଇପଡ଼ିଛିନ୍ତି। ଏୟାର କ୍ବାଲିଟି ଇଣ୍ଡେକ୍ସ (ଏକ୍ବ୍ୟୁଆଇ) ବା ବାୟୁ ଗୁଣବତ୍ତା ସୂଚକାଙ୍କ ଯେଉଁ ତଥ୍ୟ କହୁଛି ତାହା ଚିନ୍ତାଜନକ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟ ଅନୁସାରେ ୨୦୨୫ ଜାନୁଆରୀଠାରୁ ସେପ୍ଟେମ୍ବର ଶେଷ ମଧ୍ୟରେ ଲୋକେ ୭୫ ଦିନ ସ୍ବଚ୍ଛ ବାୟୁ ଗ୍ରହଣ କରିଛନ୍ତି। ୧୦୪ ଦିନ ବାୟୁର ମାନ ସନ୍ତୋଷଜନକ ରହିଛି। ଅର୍ଥାତ୍ ଉକ୍ତ ଦିନରେ ବାୟୁ ପ୍ରଦୂଷିତ ସେତେ ହୋଇ ନାହିଁ। ବାକି ୮୩ ଦିନରେ ବାୟୁର ମାନ ମଧ୍ୟମ ଓ ଅତି ପ୍ରଦୂଷଣ ରହିଛି। ଅନ୍ୟପକ୍ଷରେ ଗତକାଲିର ଦୀପାବଳି ପାଇଁ ବାଣ ଫୁଟିବା ଯୋଗୁ ସହରରେ ବାୟୁ ପ୍ରଦୂଷଣ ଆହୁରି ବଢ଼ିଯାଇଛି।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରତି ମାସରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ। ଏହାଦ୍ବାରା ଗୋଟିଏ ଅଞ୍ଚଳରେ ବାୟୁ ପ୍ରଦୂଷଣ ବଢ଼ୁଛି ନା ହ୍ରାସ ଘଟୁଛି ତାହାର ତଥ୍ୟ ମିଳିପାରିଥାଏ। ବାୟୁ ଗୁଣବତ୍ତା ଶ୍ରେଣୀକୁ ୫ଟି ବିଭାଗରେ ଶ୍ରେଣୀଭୁକ୍ତ କରାଯାଇଛି। ଏହି ଶ୍ରେଣୀ ମଧ୍ୟରେ ୦-୫୦ ସୀମା ମଧ୍ୟରେ ବାୟୁ ରହିଲେ ତାହା ସ୍ବଚ୍ଛ ବାୟୁ ବୋଲି ଧରାଯିବ। ସହରରେ ୯ ମାସ ମଧ୍ୟରେ ୭୫ ଦିନ ସ୍ବଚ୍ଛ ବାୟୁ ମିଳିଥିବା ଦର୍ଶାଯାଇଛି। ଅର୍ଥାତ୍ ଏହି ବାୟୁ ଉତ୍ତମ ଓ କୌଣସି ରୋଗ ସୃଷ୍ଟି କରି ନ ଥାଏ। ସେହିଭଳି ୫୧-୧୦୦ ସୀମା ମଧ୍ୟରେ ୧୦୪ ଦିନ ବାୟୁର ମାନ ରହିଛି। ଏହା ସନ୍ତୋଷଜନକ ଅର୍ଥାତ୍ ଏହି ବାୟୁ ସେତେ କ୍ଷତିକାରକ ନୁହେଁ। ୧୦୧-୨୦୦ ସୀମା ମଧ୍ୟରେ ରହିଲେ ତାହାକୁ ମଧ୍ୟମ ବୋଲି ଧରାଯିବ। ଅର୍ଥାତ୍ ଏହି ଦିନ ବାୟୁରେ ଧୂଳି ଓ ପିଏମ୍-୧୦ ଅଧିକ ରହିଥିବାରୁ ପ୍ରଦୂଷଣ ବୃଦ୍ଧି ବୋଲି ଧରାଯିବ। ଏହି ସୀମା ମଧ୍ୟରେ ୭୦ ଦିନ ରହିଛି; ଯାହାକି କ୍ଷତିକାରକ ବୋଲି ଧରାଯିବ। ୨୦୧-୩୦୦ ମଧ୍ୟରେ ସହରର ବାୟୁର ମାନ ୧୨ ଦିନ ରହିଛି। ଏହା ପିଲା, ବୟସ୍କ ଓ ଆଜ୍ମା ରୋଗୀଙ୍କ ଉପରେ ପ୍ରଭାବ ପକାଇଥାଏ। ୩୦୧-୪୦୦ ମଧ୍ୟରେ ବାୟୁର ମାନ ରହିଲେ ତାହାକୁ ଅତି ଖରାପ ବୋଲି କୁହାଯିବ। ଏହା ମଧ୍ୟରେ ଗୋଟିଏ ଦିନ ଥିବା ରେକର୍ଡ କରାଯାଇଛି। ସହରରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ସେଭଳି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି।
ଏକ୍ୟୁଆଇ ରିପୋର୍ଟର ରେକର୍ଡରେ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ପାଇଁ ସରକାର କିମ୍ବା ପ୍ରଶାସନ ସେଭଳି ତତ୍ପରତା ପ୍ରକାଶ କରୁ ନାହିଁ। ବାଦାମବାଡ଼ି, ରାଣୀହାଟ, ଗୋପାଳପୁର ଓ ବାଲିକୁଦା ଛକ, ଜଗତପୁର, ଛତ୍ରବଜାର, ମାଲଗୋଦାମ, ବକ୍ସିବଜାର, ପିଠାପୁର, ଚୌଧୁରୀ ବଜାର, ମଧୁପାଟଣା, ନୂଆବଜାର ପ୍ରଭୃତି ଅଞ୍ଚଳରେ ଟ୍ରାଫିକ୍ ଜାମ ଯୋଗୁଁ ପ୍ରଦୂଷଣ ବଢ଼ୁଥିବା ଅଭିଯୋଗ ହେଉଛି। ତା’ଛଡ଼ା ବିଭିନ୍ନ ଯାନବାହନ ସଂଖ୍ୟା ବଢ଼ିବାରୁ ପ୍ରଦୂଷଣ ମାତ୍ରା ବଢ଼ିଛି।
ଅନ୍ୟପକ୍ଷରେ ପରିବହନ ବିଭାଗ ପକ୍ଷରୁ ପୁରୁଣା ଗାଡ଼ିଗୁଡ଼ିକ ଉପରେ କଟକଣା ଲଗାଯାଉ ନାହିଁ। ବହୁ ପୁରୁଣା ଗାଡ଼ି ଯାତାୟାତ କରୁଥିବାରୁ ବିଷାକ୍ତ ଧୂଅଁା ପ୍ରଦୂଷଣ ମାତ୍ରାକୁ ବଢ଼ାଇବାରେ ସାହାଯ୍ୟ କରୁଛି। ତା’ଛଡ଼ା ସହରରେ ଜାଇକା, ଅମୃତ, ନୂତନ ପାଣି ପାଇପ ସଂଯୋଗ, କେବୁଲ ସଂପ୍ରସାରଣ, ଗ୍ୟାସ୍ ପାଇପ୍ ପ୍ରଭୃତି ରାସ୍ତାରେ ବିଛାଇବା ଯୋଗୁ ଦୈନିକ ଖୋଳାଖୋଳି ଆଦି କାର୍ଯ୍ୟକ୍ରମ ଚାଲୁଛି। ରାତିରେ ଶହ ଶହ ହାଇୱା, ଟ୍ରାକ୍ଟର ବାଲି ବୋଝେଇ କରି ରାସ୍ତାରେ ଯାଉଛି। ଡାଲାରୁ ବାଲି ରାସ୍ତାରେ ପଡ଼ୁଛି। ଏହି ବାଲି ପବନରେ ଉଡିବା ଯୋଗୁ ଯାତାୟାତକାରୀ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି।
Powered by Froala Editor