ମାସ ଶେଷ ସୁଦ୍ଧା ଆସୁଛି ତିନୋଟି ଲଘୁଚାପ, ବାତ୍ୟା ନେଇ ଏହା କହିଲେ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶିକା
ଭୁବନେଶ୍ବର: ଅକ୍ଟୋବର ଶେଷ ସୁଦ୍ଧା ଆଗପଛ ହୋଇ ଆସୁଛି ତିନୋଟି ଲଘୁଚାପ। ଆଜି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାବେଳେ ଆସନ୍ତା ୨୬ରେ ଦକ୍ଷିଣ ବଙ୍ଗୋପସାଗର ଏବଂ ୨୯ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ୨୬ ଓ ୨୯ରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପାଇଁ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ସମ୍ଭାବ୍ୟ ଲଘୁଚାପ ଉପରେ ଅଧିକ ସ୍ପଷ୍ଟ ଆକଳନ କରାଯାଇ ପାରିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। କେତେକ ବିଦେଶୀ ପାଣିପାଗ ସଂସ୍ଥା ଦ୍ବିତୀୟ ଓ ତୃତୀୟ ଲଘୁଚାପ ସଂକ୍ରାନ୍ତରେ ବାତ୍ୟା ଆକଳନ କରିଛନ୍ତି। ପୁଣି ସମ୍ଭାବ୍ୟ ଲଘୁଚାପକୁ ନେଇ ଆଉ କେତେକ ମଡେଲ ସାମୁଦ୍ରିକ ଝଡ଼ ଆକଳନ କରିଥିବା କୁହାଯାଉଛି, ହେଲେ ଭାରତୀୟ ପାଣିପାଗ ବିଭାଗ ଏସଂକ୍ରାନ୍ତରେ କିଛି ହେଲେ ସ୍ପଷ୍ଟ କରିନାହିଁ।
ବୁଧବାର ଅପରାହ୍ଣରେ ସମ୍ଭାବ୍ୟ ଅବପାତ ଉତ୍ତର ତାମିଲନାଡୁ, ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହଁାଇବ। ପରବର୍ତ୍ତୀ ୨୪ଘଣ୍ଟାରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ଏବଂ ଉତ୍ତର ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଆସିପାରେ। ଏହାର ପ୍ରଭାବରେ ତାମିଲନାଡୁ, ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ କେରଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଓଡ଼ିଶାରେ ପ୍ରବଳ ବର୍ଷା ସଂକ୍ରାନ୍ତରେ ପାଣିପାଗ ବିଭାଗ ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ; କିନ୍ତୁ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୪ଦିନ ପର୍ଯ୍ୟନ୍ତ ଦକ୍ଷିଣ, ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ଥିବା ସ୍ପଷ୍ଟ କରିଛି। ତେବେ ବାତ୍ୟା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶିକା ଡ. ମନୋରମା ମହାନ୍ତି। ସେ କହିଛନ୍ତି, ବାତ୍ୟା ହେବାର ୧୦ରୁ ୧୨ଦିନ ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଏ। ବାତ୍ୟା ନେଇ ଏପର୍ଯ୍ୟନ୍ତ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଆସିନି। ତେବେ ସପ୍ତାହେ ଯାଏଁ ବର୍ଷାର ଆକଳନ କରିଛି ପାଣିପାଗ ବିଭାଗ। ଏହି ଅବପାତ ଯୋଗୁଁ ରାଜ୍ୟରେ ଆସନ୍ତା ୫ଦିନ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ିର ମଧ୍ୟ ସତର୍କ ସୂଚନା ଦିଆଯାଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲାକୁ ବଜ୍ରପାତ ସହ ବର୍ଷା ନେଇ ସତର୍କ ସୂଚନା ଦିଆଯାଇଛି।
Powered by Froala Editor