ସାଂଘାତିକ ତଥ୍ୟ ଦେଲେ ସୌମ୍ୟଙ୍କ ବାପା ଜାଣନ୍ତୁ .....
ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତୁ୍ୟ ଏବେ ରହସ୍ୟଘେରରେ ରହିଛି । ମୃତୁ୍ୟ ପଛର ପ୍ରକୃତ କାରଣ ଖୋଜିବାକୁ ପୁଲିସ ତଦନ୍ତକୁ ଜୋରଦାର କରିଛି । ତେବେ ଏହା ଭିତରେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ଆଜି କଟକସ୍ଥ ଡିଜିପି ଅଫସିରେ ଡିଜିପିଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ଡିଜିପିଙ୍କୁ ଦେଇଥିବା ଦାବିପତ୍ରରେ ଅଭିରାମ ଏକ ସାଂଘାତିକ ତଥ୍ୟ ଦେଇଛନ୍ତି । ଘଟଣାପଛରେ ଗଜପତିର ଜଣେ ମହିଳା ଇନସ୍ପେକ୍ଟରଙ୍କ ହାତ ଥିବା ସେ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ମହିଳା ଗଜପତିର ଏକ ଥାନାରେ ଆଇଆଇସିଭାବେ ଅବସ୍ଥାପିତ । ସମ୍ପୃକ୍ତ ମହିଳା ଆଇଆଇସି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସମ୍ପର୍କୀୟ । ଘଟଣା ଦିନ ରାସ୍ତାରେ ସମ୍ପୃକ୍ତ ମହିଳା ଆଇଆଇସି ଆମ୍ବୁଲାନ୍ସ ଅଟକାଇଥିଲେ । ପ୍ରାୟ ଘଣ୍ଟାଏ କାଳ ଆମ୍ବୁଲାନ୍ସ ଅଟକାଇଥିବା ଅଭିଯୋଗ ହୋଇଛି । ଆମ୍ବୁଲାନ୍ସ ଅଟକିବାରୁ ଚିକିତ୍ସାରେ ବିଳମ୍ବ ପାଇଁ ପୁଅ ମରିଗଲା ବୋଲି ଅଭିରାମ ଉକ୍ତ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ତେଣୁ ସମ୍ପୃକ୍ତ ମହିଳା ଆଇଆଇସିଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ସେ ଦାବି କରିଛନ୍ତି ।
ଅନ୍ୟପକ୍ଷରେ ଦାବିପତ୍ରରେ ୩ ଜଣଙ୍କ ଲାଇ ଡିଟେକ୍ସନ ଟେଷ୍ଟ ପାଇଁ ଅଭିରାମ ଅନୁରୋଧ କରିଛନ୍ତି । ବୋହୂ, ଡିଏଫଓ ଓ ରୋଷେୟାଙ୍କ ଲାଇ ଡେଟେକ୍ସନ ଟେଷ୍ଟ କରାଯିବାକୁ ସେ ଦାବି କରିଛନ୍ତି । ଏଥିସହ ସମଗ୍ର ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବାକୁ ବି ସେ ଦାବି କରିଛନ୍ତି । ଗୁରୁତର ସୌମ୍ୟଙ୍କୁ ବ୍ରହ୍ମପୁର ପରିବର୍ତ୍ତେ କଟକ କାହିଁକି ନିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ଫରେଷ୍ଟ ଅଫିସ ଆଗରେ ଆମ୍ବୁଲାନ୍ସ ଅଟକିବା ନେଇ ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।
ପ୍ରକାଶ ଯେ, ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ନିଆଁରେ ପୋଡ଼ି ହୋଇ ମୃତୁ୍ୟବରଣ କରିଥିବା କୁହାଯାଉଥିବାବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି ।
Powered by Froala Editor