ଆକାଂକ୍ଷା ଅଞ୍ଚଳ ତାଲିକାରୁ ରାୟଗଡ଼ା ଜିଲାର ଏହି ବ୍ଲକ ହଟିଲା
ରାୟଗଡ଼ା: ରାୟଗଡ଼ା ଜିଲାର ସବୁଠାରୁ ଅନୁନ୍ନତ ତଥା ପଛୁଆ କଲ୍ୟାଣସିଂହପୁର, ବିଷମକଟକ ଓ ମୁନିଗୁଡ଼ା ବ୍ଲକକୁ ଚଳିତ ମାସ ଆକାଂକ୍ଷା ଅଞ୍ଚଳ ତାଲିକାରୁ ହଟାଇ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଆକାଂକ୍ଷା ଜିଲା ଶୈଳୀରେ ୨୦୨୩ ମସିହା ଜାନୁଆରୀ ମାସରେ ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।
କଲ୍ୟାଣସିଂହପୁର ବ୍ଲକର ନିୟମଗିରି ଅଞ୍ଚଳର ଅନେକ ଗ୍ରାମକୁ ଆଜି ପର୍ଯ୍ୟନ୍ତ ମୌଳିକ ସୁବିଧା ପହଞ୍ଚି ପାରି ନାହିଁ। ୪୧ ଗ୍ରାମକୁ ପାଦ ଚଲା ରାସ୍ତା ଥିଲା ବେଳେ ୨୩ ଗ୍ରାମକୁ ବିଜୁଳି ସଂଯୋଗ ହୋଇପାରି ନାହିଁ। ଶିଶୁ ଓ ମାତୃ ମୃତ୍ୟୁ ହାରରେ ଏହି ଅଞ୍ଚଳ ସର୍ବାଗ୍ରେ ଅଛି। ହର ଘର ଜଳ ଯୋଜନାରେ ସବୁ ଘରକୁ ପାନୀୟ ଜଳ ପହଞ୍ଚି ପାରି ନାହିଁ। ୩୧ ଗ୍ରାମ ଅଦ୍ୟାବଧି ଝରଣା ପାଣି ଉପରେ ନିର୍ଭର କରୁଛନ୍ତି।
ବିଷମକଟକ ବ୍ଲକର ୨୧ ଗ୍ରାମକୁ ଆମ୍ବୁଲାନ୍ସ ସେବା ଅପହଞ୍ଚ ରହିଛି। ଆବାସ ଯୋଜନାରେ ଘର ଖଣ୍ଡେ ନପାଇ ଅନେକ ପରିବାର ବାସହୀନ ଜୀବନ ବିତାଉଛନ୍ତି। ମୁନିଗୁଡ଼ା ବ୍ଲକର ଅନେକ ଗ୍ରାମକୁ ସାମାନ୍ୟତମ ମୌଳିକ ସୁବିଧା ପହଞ୍ଚି ପାରି ନାହିଁ।
ନୀତି ଆୟୋଗଙ୍କ ରିପୋର୍ଟ ଅନୁଯାୟୀ ଏହି ୩ ବ୍ଲକରେ ସ୍ବାସ୍ଥ୍ୟ, ଶିକ୍ଷା, ପୃଷ୍ଟି ଭିତ୍ତିଭୂମି ଏବଂ ଜୀବିକା ସୁଚକାଙ୍କ ରାଜ୍ୟର ହାରାହାରି ସ୍ଥିତିଠାରୁ ଭଲରେ ଥିବାରୁ ଏହି ୩ ବ୍ଲକକୁ ଆକାଂକ୍ଷା ଅଞ୍ଚଳ ତାଲିକାରୁ ବାଦ୍ ଦିଆ ଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି। ତାଲିକାରୁ ବାଦ ପଡ଼ିବା ନେଇ ତଥ୍ୟ ପହଞ୍ଚି ନାହିଁ।
Powered by Froala Editor