ଶହେ ଟଙ୍କାରେ ମିଳିବ ଶସ୍ତା ଆଣ୍ଟିନା
ଗୋପାଳପୁର: ଦୁର୍ଗମ ଅଞ୍ଚଳରେ ମୋବାଇଲଠାରୁ ଆରମ୍ଭ କରି ଇଣ୍ଟରନେଟ ସେବା କ୍ଷେତ୍ରରେ ରହି ଆସିଥିବା ସମସ୍ୟାର ଏଣିକି ସମାଧାନ କରିପାରିବ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଇଲେକ୍ଟ୍ରୋନିକ୍ସ ସାଇନ୍ସ ବିଭାଗ ପକ୍ଷରୁ ପ୍ରସ୍ତୁତ ଶସ୍ତା ଆଣ୍ଟିନା। ଏହି ଆଣ୍ଟିନା କୌଣସି ଗ୍ରାମାଞ୍ଚଳରେ କିମ୍ବା ଦୁର୍ଗମାଞ୍ଚଳରେ ଏକ ୱାଇଫାଇ ରାଉଟର କିମ୍ବା ୱାଇଫାଇ ମଡ୍ୟୁଲ ଭାବେ ବ୍ୟବହାର କରାଯାଇପାରିବ। ଏହା ବଜାରରେ ଉପଲବ୍ଧ ପାରମ୍ପରିକ ମଡେଲଠାରୁ ଅଧିକ କାର୍ଯ୍ୟକ୍ଷମ ଏବଂ ଶସ୍ତା। ପ୍ରସ୍ତୁତ ଶସ୍ତା ଆଣ୍ଟିନାରେ ୫ଜି ମୋବାଇଲ ନେଟୱାର୍କ, ରାଡାର ବ୍ୟବସ୍ଥା ଏବଂ ଅତ୍ୟାଧୁନିକ ସାଟେଲାଇଟ କମ୍ୟୁନିକେସନ ବ୍ୟବସ୍ଥା ଉପଲବ୍ଧ ରହିଛି ବୋଲି ପ୍ରକାଶ କରିଛନ୍ତି ବିଭାଗୀୟ ମୁଖ୍ୟ ଧୃବଚରଣ ପଣ୍ଡା। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ପ୍ରୋତ୍ସାହନ ତଥା ବିଭାଗୀୟ ଅଧ୍ୟାପକ ଡା.ଦୀପକ କୁମାର ନାୟକଙ୍କ ଉଦ୍ୟମ ଏବଂ ଅନ୍ୟମାନଙ୍କ ସହାୟତାରେ ଏପରି ସଫଳତା ମିଳିଥିବା ଶ୍ରୀ ପଣ୍ଡା କହିଛନ୍ତି। ଏହି ଡିଜାଇନର ଆଣ୍ଟିନା ମାତ୍ର ଶହେ ଟଙ୍କାରେ ମିଳିପାରିବ। ନୂତନ ଭାବରେ ବିକଶିତ ହୋଇଥିବା ଏହି ଆଣ୍ଟିନାର ଆକାର ୪୦ ବର୍ଗ ମି.ମି ରହିଛି। ଏହି ଉତ୍ପାଦ ବର୍ଷା ଓ ପ୍ରାକୃତିକ ପରିସ୍ଥିତିରେ ମଧ୍ୟ ଶକ୍ତିଶାଳୀ ଓ ନିର୍ଭରଯୋଗ୍ୟ ସଙ୍କେତ ଦେଇପାରିବ।
Powered by Froala Editor