୨୦୧୪-୧୯ ମଧ୍ୟରେ ୩୨୬ ଦେଶଦ୍ରୋହ ମାମଲା ରୁଜୁ, ଓଡ଼ିଶାରୁ ଗୋଟିଏ ବି ନାହିିଁ

୨୦୧୪-୧୯ ଭିତରେ ଦେଶରେ ମୋଟ୍ ୩୨୬ଟି ଦେଶଦ୍ରୋହ ମାମଲା ରୁଜୁ ହୋଇଛି । ରୁଜୁ ହୋଇଥିବା ମାମଲା ମଧ୍ୟରୁ ୫୪ଟି ମାମଲା ଆସାମରୁ ରହିଛି। ୧୪୧ଟି ମାମଲାରେ ଚାର୍ଜଶିଟ୍ ଦାଖଲ ହୋଇଥିବା ବେଳେ ୬ ବର୍ଷରେ ୬ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆସାମରେ ୫୪ଟି ମାମଲା ମଧ୍ୟରୁ ୨୬ଟି ମାମଲାରେ ଚାର୍ଜଶିଟ୍ ଦାଖଲ ହୋଇଥିବା ବେଳେ ୨୫ଟି ମାମଲାରେ ଶୁଣାଣି ଶେଷ ହୋଇଛି। ହେଲେ ଏହି ଅବଧି ମଧ୍ୟରେ କେହି ଜଣେ ବି ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି।
ସେହିପରି ଝାଡ଼ଖଣ୍ଡରେ ୧୨୪ (ଏ) ଅନୁଯାୟୀ ୪୦ଟି ମାମଲା ଦାୟର ହୋଇଛି। ଯେଉଁଥିରୁ ୨୯ଟି ମାମଲାରେ ଚାର୍ଜଶିଟ୍ ଦାଖଲ ହୋଇଛି ଏବଂ ୧୬ଟି ମାମଲାରେ ଶୁଣାଣି ଶେଷ ହୋଇଛି। ଯେଉଁଥିରୁ ଜଣେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ହରିଆଣାରେ ମୋଟ୍ ୩୧ଟି ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଯେଉଁଥିରୁ ୧୯ଟି ମାମଲାରେ ଚାର୍ଜଶିଟ୍ ଦାଖଲ ହୋଇଛି ଏବଂ ୬ଟି ମାମଲାରେ ଶୁଣାଣି ଶେଷ ହୋଇଛି। ଏଥିମଧ୍ୟରୁ ଜଣେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ସେହିପରି ବିହାର, ଜମ୍ମୁ କଶ୍ମୀର ଏବଂ କେରଳରେ ୨୫ଟି ଲେଖାଏଁ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ବିହାର ଏବଂ କେରଳରେ ଚାର୍ଜଶିଟ୍ ଦାଖଲ ହୋଇନଥିବା ବେଳେ ଜମ୍ମୁ କଶ୍ମୀରରେ ତିନୋଟି ମାମଲାରେ ଚାର୍ଜଶିଟ୍ ଦାଖଲ ହୋଇଛି। ତେବେ ୨୦୧୪ ରୁ ୨୦୧୯ ମଧ୍ୟରେ ଏହି ତିନି ରାଜ୍ୟରୁ କୌଣସି ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ। କର୍ଣ୍ଣାଟକରେ ୨୨ଟି ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ଯେଉଁଥିରେ ୧୭ଟି ମାମଲାରେ ଚାର୍ଜଶିଟ ଦାଖଲ କରାଯାଇଥିଲା କିନ୍ତୁ କେବଳ ଗୋଟିଏ ମାମଲାରେ ଶୁଣାଣି ଶେଷ ହୋଇଛି। ତେବେ ଏହି ଅବଧି ମଧ୍ୟରେ କାହାକୁ ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ।
୨୦୧୪ ରୁ ୨୦୧୯ ମଧ୍ୟରେ ୟୁପିରେ ୧୭ଟି ଏବଂ ପଶ୍ଚିମବଙ୍ଗରେ ଆଠଟି ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ୟୁପିରେ ଆଠଟି ଏବଂ ପଶ୍ଚିମବଙ୍ଗରେ ପାଞ୍ଚଟି ମାମଲାରେ ଚାର୍ଜଶିଟ୍ ଦାଖଲ କରାଯାଇଥିଲା। କିନ୍ତୁ ଉଭୟ ରାଜ୍ୟରେ କେହି ଦୋଷୀ ସାବ୍ୟସ୍ତ ହୋଇନଥିଲେ। ୨୦୧୪ ରୁ ୨୦୧୯ ମଧ୍ୟରେ ଦିଲ୍ଲୀରେ ଚାରୋଟି ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା କିନ୍ତୁ କୌଣସି ମାମଲାରେ ଚାର୍ଜଶିଟ୍ ଦାଖଲ କରାଯାଇ ନାହିଁ।
ମେଘାଳୟ, ମିଜୋରାମ, ତ୍ରିପୁରା, ସିକ୍କିମ୍, ଆଣ୍ଡାମାନ ନିକୋବର, ଲାକ୍ଷାଦ୍ୱୀପ, ପୁଡୁଚେରୀ, ଚଣ୍ଡିଗଡ଼, ଡାମନ ଏବଂ ଡିୟୁ, ଦାଦ୍ରା ନଗର ହାଭେଳିରେ ୬ ବର୍ଷ ମଧ୍ୟରେ ଦେଶଦ୍ରୋହ ମାମଲା ରୁଜୁ ହୋଇ ନାହିଁ। ମହାରାଷ୍ଟ୍ର, ପଞ୍ଜାବ ଏବଂ ଉତ୍ତରା ଖଣ୍ଡ ତିନୋଟି ରାଜ୍ୟରେ ଗୋଟିଏ ଲେଖାଏଁ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ହେଲେ ଓଡ଼ିଶାରୁ ଗୋଟିଏ ବି ଦେଶଦ୍ରୋହ ମାମଲା ଏହି ଅବଧି ମଧ୍ୟରେ ରୁଜୁ ହୋଇନଥିବା ସୂଚନା ରହିଛି।
ସୁପ୍ରିମକୋର୍ଟ ଗତ ସପ୍ତାହରେ କହିଥିଲେ ଯେ, ଆଇପିସିର ଧାରା ୧୨୪(ଏ) ଦେଶଦ୍ରୋହ ଆଇନର ସବୁଠୁ ବଡ ଧରଣର ଦୁରୁପଯୋଗ ହୋଇଛି। ଇଂରେଜ ଅମଳର ଏହି ଆଇନ କଣ ଆଜିକା ସମୟରେ ପ୍ରାସଙ୍ଗିକତା ରଖୁଛି ବୋଲି ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିଛନ୍ତି। ସେହି ସମୟରେ ଇଂରେଜ ମହାତ୍ମାଗାନ୍ଧୀଙ୍କ ପରି ଲୋକଙ୍କ ମୁହଁ ବନ୍ଦ କରିବା ପାଇଁ ଏହି ଆଇନର ଦୁରୁପଯୋଗ କରୁଥିଲେ। କାହିଁକି ଏହି ଆଇନ ସମାପ୍ତ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ ମଧ୍ୟ କରିଛନ୍ତି।
Powered by Froala Editor