ସେଲ ରଡ୍ କାଟି ଖସି ପଳାଇବା ଯୋଜନା ପଣ୍ଡ

କଟକ: ଗୁରୁବାର ଭୋର ସମୟରେ ବିହାର ଅଞ୍ଚଳର ୨ ବିଚାରାଧୀନ ବନ୍ଦୀ ଜେଲର ଉଚ୍ଚ କାନ୍ଥ ଓ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭେଦ କରି ଖସି ପଳାଇବାକୁ ସକ୍ଷମ ହୋଇଥିବା ବେଳେ ଶନିବାର ରାତ୍ରିରେ ଅନ୍ୟ ଏକ ସେଲର ରଡ୍ କାଟି ଖସି ପଳାଇବା ଯୋଜନାକୁ ପଣ୍ଡ କରିଛି ପୁଲିସ। ସେଲକୁ ସିଲ କରାଯିବା ସହ ରହିଥିବା ବନ୍ଦୀ ଜଣଙ୍କୁ ଅନ୍ୟ ଏକ ସେଲରେ ରଖାଯାଇଛି। ପରେ ପୁଲିସର ୩ଟି ସ୍ୱତନ୍ତ୍ର ଦଳ ସମସ୍ତ ବ୍ଲକ ଓ ସେଲ ଗୁଡ଼ିକୁ ତନ୍ନତନ୍ନ କରି ଯାଞ୍ଚ କରିଥିଲେ ହେଁ ସେପରି କିଛି ପାଇ ନଥିଲେ। ଜେଲରେ ଅନ୍ୟ ଏକ ବଡ଼ ଅଘଟଣ ଅଳ୍ପକେ ଟଳି ଯାଇଛି। ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାଯାଇଛି ଯେ ଜେଲ ଭିତରୁ ଦୁଇ ବନ୍ଦୀ ଫେରାର ହୋଇଯିବା ପରେ ସେମାନଙ୍କୁ ଧରିବା ପାଇଁ ପୁଲିସ ପାଇଁ ବଡ଼ ଚାଲେଞ୍ଜ ହୋଇଛି। ରାଜ୍ୟ ଭିତରେ ଓ ବାହାରେ ଏକାଧିକ ଟିମ୍ ରହି କାର୍ଯ୍ୟ କରୁଛି। ୨ ବନ୍ଦୀ ସେଲର ମୋଟା ଲୁହା ରଡ କାଟିବାରେ ବ୍ୟବହୃତ ଆରି କିପରି ଓ କେଉଁଠୁ ଏହାକୁ ନେଇ ତଦନ୍ତ ଜୋର ଧରିଛି।
ସେଲ ଓ ସ୍ୱତନ୍ତ୍ର ସେଲ ଗୁଡିକର ବାହାରେ ସିସି କ୍ୟାମେରା ସହ ୨୪ ଘଣ୍ଟିଆ ପ୍ରହରା ଦେବାର ବ୍ୟବସ୍ଥା ରହିଥାଏ। ଦିନରେ ୪ ଘଣ୍ଟାରେ ଜଣେ, ରାତ୍ରିରେ ୨ ଜଣ ୱାଡେନ ଓ ତଦାରଖ ପାଇଁ ଜଣେ ମୁଖ୍ୟ ୱାଡେନ ଏସବୁର ନିରୀକ୍ଷଣ କରିଥାଏ। ହେଲେ ଏତେସବୁ ସତ୍ତ୍ବେ ସେଲରେ ରହୁଥିବା ବନ୍ଦୀଙ୍କ ପାଖକୁ ଆରି ଆସିବା ଓ ମୋଟା ଲୁହା ରଡ଼କୁ ଦିନଦିନ ଧରି କାଟିବା କିଭଳି ସମ୍ଭବ ପର ବୋଲି ସାଧାରଣରେ ଅନେକ ପ୍ରଶ୍ନ ଉଙ୍କି ମାରିଛି।
Powered by Froala Editor