ନଭେମ୍ବର ୧୧ରେ ନୂଆପଡ଼ା ବିଧାନସଭା ଉପନିର୍ବାଚନ

ଆସନ୍ତା ନଭେମ୍ବର ୧୧ ତାରିଖରେ ଓଡ଼ିଶାର ନୂଆପଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ମୁଖ୍ୟ ନିର୍ବାଚନ ଆୟୋଗ (ECI) ଅନୁଯାୟୀ, ୧୧ ନଭେମ୍ବରରେ ମତଦାନ ଓ ୧୪ ନଭେମ୍ବରରେ ଭୋଟ ଗଣତି ହେବ। ଏହା ମୋହନ ଚରଣ ମାଝିଙ୍କ ନେତୃତ୍ୱାଧୀନ ଭାଜପା ସରକାରର ପ୍ରଥମ ଉପନିର୍ବାଚନ, ଯାହା ରାଜ୍ୟର ରାଜନୈତିକ ମାହୋଲକୁ ଉଷ୍ମ କରିବ।
ସୋମବାର ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ)ଙ୍କ ତରଫରୁ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଉପନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୨୦ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ୨୨ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୨୪ ତାରିଖରେ ପ୍ରତ୍ୟାହାର ପାଇଁ ଶେଷ ତାରିଖ ରହିଛି।
ନୂଆପଡ଼ାର ପୂର୍ବତନ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିୟାଙ୍କର ୮ ସେପ୍ଟେମ୍ବର ୨୦୨୫ରେ ଅକାଳ ବିୟୋଗ ପରେ ଏହି ଆସନ ଖାଲି ହୋଇଛି। ଢୋଲକିୟା ୨୦୨୪ ନିର୍ବାଚନରେ ନୂଆପଡ଼ାରୁ ଜିତିଥିଲେ ଏବଂ ୨୦୨୨-୨୦୨୪ ମଧ୍ୟରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିଲେ। ଚାରି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଢୋଲକିୟାଙ୍କ ମୃତ୍ୟୁ ବିଜେଡିର ୫୧ ବିଧାୟକ ସଂଖ୍ୟାକୁ ୫୦କୁ ହ୍ରାସ କରିଛି।
Powered by Froala Editor