କଟକ ଅଶାନ୍ତ : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ, ୩୬ ଘଣ୍ଟା କର୍ଫ୍ୟୁ
ଭସାଣୀ ଶୋଭାଯାତ୍ରା ଉପରକୁ ଏକ ଗୋଷ୍ଠୀର କିଛି ଉପଦ୍ରବି ଢେଲା ମାଡ କରିବା ଘଟଣା ପରେ ଭାଇଚାରାର ସହର କଟକ ଅଶାନ୍ତ ହୋଇ ପଡିଛି । କଟକ ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ରବିବାର ସଂଧ୍ୟା ୭ଟାରୁ ସୋମବାର ସଂଧ୍ୟା ୭ଟା ପର୍ଯ୍ୟନ୍ତ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଯଥା ହ୍ବାଟ୍ସଆପ୍, ଫେସବୁକ୍, ଇନଷ୍ଟାଗ୍ରାମ୍ ଓ ସ୍ନାପ୍ଚାଟ୍ ଉପରେ ୨୪ ଘଣ୍ଟିଆ କଟକଣା ଲାଗୁ କରାଯାଇଛି। ଗୃହ ବିଭାଗ ପକ୍ଷରୁ ମୋବାଇଲ୍ ଇଣ୍ଟରନେଟ୍ ସେବା ମଧ୍ୟ ବାତିଲ୍ କରାଯାଇଛି। କଟକର କିଛି ଅଂଶରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି । ତେବେ ସ୍ଥିତି ନିୟନ୍ତ୍ରଣରେ ଥିବା କଥା ପୁଲିସ କମିଶନର ସୂଚନା ଦେଇଛନ୍ତି ।
କଟକରେ ସମ୍ପ୍ରତି ହୋଇଥିବା ବିଶୃଙ୍ଖଳାକୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ ପୋଲିସ ତିନୋଟି ସ୍ପେଶାଲ୍ ଟିମ୍ ଗଠନ କରିଛି। ପୋଲିସ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ, ବିଶୃଙ୍ଖଳାକାରୀଙ୍କୁ ଚିହ୍ନଟ କରି ଗିରଫ କରାଯିବ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଶାନ୍ତି ଓ ଭାଇଚାରା ବଜାୟ ରଖିବାକୁ ଅପିଲ୍ କରିଛନ୍ତି। ସେ କହିଛନ୍ତି, “କଟକ ଭାଇଚାରାର ଅନନ୍ୟ ନିଦର୍ଶନ। କେତେକ ବିଶୃଙ୍ଖଳାକାରୀଙ୍କ ଯୋଗୁଁ ସହରର ଶାନ୍ତି ଓ ଗୌରବ ନଷ୍ଟ ହେଉଛି। ସରକାର ଏମାନଙ୍କ ଉପରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ କରିବ।”
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଏହି ଘଟଣାରେ ଗଭୀର ଉଦ୍ବେଗ ପ୍ରକାଶ କରି ସମସ୍ତଙ୍କୁ ଶାନ୍ତି ଓ ଆଇନଶୃଙ୍ଖଳା ରକ୍ଷା କରିବାକୁ ଅନୁରୋଧ କରିଛନ୍ତି।
ସୋମବାର କଟକ ବନ୍ଦ ଡାକରା ଦିଆଯାଇଥିବାରୁ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସହରରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ରବିବାର ପୁଲିସକୁ ଢେଲାପଥର ମାଡ଼ କରାଯିବା ପରେ ପୁଲିସ ପକ୍ଷରୁ ଲାଠି ଚାଳନା କରାଯିବା ସହିତ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା। ତେଣୁ ବନ୍ଦ ପାଳନ ବେଳେ ଗଣ୍ଡଗୋଳ ଆଶଙ୍କା ଥିବାରୁ ବିଭିନ୍ନ ସାହିର ଗଳିକନ୍ଦିରେ ପୁଲିସ ଛାଉଣୀ ହୋଇଛି।
Powered by Froala Editor