ଆରମ୍ଭ ହେବ ଅଭିଯାନ, ଜାତୀୟ ରାଜପଥ ହେବ ଗାଈଗୋରୁ ମୁକ୍ତ

ଭୁବନେଶ୍ବର: ଜାତୀୟ ରାଜପଥରେ ଗୋରୁଙ୍କ ପ୍ରାଦୁର୍ଭାବ ହ୍ରାସ ପାଇଁ ଆରମ୍ଭ ହେବ ଅଭିଯାନ। ଏହା ପୂର୍ବରୁ ଭାରତୀୟ ରାଜମାର୍ଗ ପ୍ରାଧିକରଣ (ଏନ୍ଏଚ୍ଏଆଇ) ପକ୍ଷରୁ ଗାଈଗୋରୁଙ୍କ ପାଇଁ ସର୍ବାଧିକ ଦୁର୍ଘଟଣାପ୍ରବଣ ଅଞ୍ଚଳ ଚିହ୍ନଟ କରାଯିବ। ଏ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଅନୁଷ୍ଠିତ ବୈଠକରେ ବିସ୍ତୃତ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି। ଅଗ୍ରାଧିକାର ଭିତ୍ତିରେ ୩୧୬ ନଂ ଜାତୀୟ ରାଜପଥକୁ ଗାଈଗୋରୁ ମୁକ୍ତ କରାଯିବ। ସୂଚନା ଅନୁସାରେ ଏନ୍ଏଚ୍ଏଆଇ ପଶୁଙ୍କ ପାଇଁ ଘଟୁଥିବା ଦୁର୍ଘଟଣା ଅଞ୍ଚଳ ଚିହ୍ନଟ କରି ପରିବହନ ବିଭାଗକୁ ତଥ୍ୟ ପ୍ରଦାନ କରିବ। ଏହାପରେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ, ସ୍ଥାନୀୟ ପୌରସଂସ୍ଥା ପକ୍ଷରୁ ସେହି ଅଞ୍ଚଳରୁ ବୁଲା ଗାଈଗୋରୁଙ୍କୁ ନିକଟସ୍ଥ ଗୋଶାଳାକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ୯୫ଟି ପଞ୍ଜିକୃତ ଗୋଶାଳାକୁ ଚିହ୍ନଟ କରାଯାଇ ଥିବାବେଳେ ବିଭାଗ ଅଧୀନରେ ଆଉ ୩୭ଟି ନିର୍ମାଣ କରାଯାଉଛି। ଯେଉଁ ସ୍ଥାନରେ ଗୋଶାଳା ନଥିବ ସେଠାରେ ପୌରସଂସ୍ଥା ପକ୍ଷରୁ ଅସ୍ଥାୟୀ ଗୋଶାଳା ନିର୍ମାଣ କରାଯିବ। ଗାଈ ଗୋରୁଙ୍କୁ ସ୍ଥାନାନ୍ତର ପାଇଁ ପୌରସଂସ୍ଥାଙ୍କୁ ଅନ୍ୟୂନ ୫ଟି ଗାଡ଼ିର ଖର୍ଚ୍ଚ ଏନ୍ଏଚ୍ଏଆଇ ପ୍ରଦାନ କରିବ। ଗୋଶାଳା ପରିଚାଳନା ପାଇଁ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯିବ। ଯେଉଁ ଗାଈଗୋରୁଙ୍କ କେହି ଦାବିଦାର ନଥିଲେ ସେମାନଙ୍କୁ ସବୁଦିନ ପାଇଁ ଗୋଶାଳାରେ ରଖାଯିବ। ରାସ୍ତାରେ ଗାଈଗୋରୁଙ୍କୁ ଛାଡ଼ିବା ପାଇଁ ଧାର୍ଯ୍ୟ ଜୋରିମାନା ପରିମାଣ ବୃଦ୍ଧି କରାଯିବ। ସେହିପରି ଦୁର୍ଘଟଣାରେ ଆହତ ଗାଈଙ୍କ ପରିବହନ ପାଇଁ ଅଧିକ ଆମ୍ବୁଲାନ୍ସ ନିୟୋଜନ ଲାଗି ନିଷ୍ପତ୍ତି ହୋଇଛି।
Powered by Froala Editor