ଏମିତି ପ୍ରସ୍ତୁତ କରନ୍ତୁ ପୁରଦିଆ କାକରା ପିଠା
ଆବଶ୍ୟକ ସାମଗ୍ରୀ-
ସୁଜି, ତେଲ, ଚିନି, ଲୁଣ, ଗୁଜୁରାତି ଗୁଣ୍ଡ, କାଜୁ, ପିସ୍ତାବାଦାମ, ଗୁଆ ଘିଅ, ପାନମଧୁରୀ, ନଡିଆ କୋରା ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଗ୍ୟାସରେ କଡେଇ ବସେଇ ପାଣି ଢାଳିବେ । ଏହାପରେ ସେଥିରେ ଅଳ୍ପ ଲୁଣ ଏବଂ ଚିନି ପକାଇବେ । ତାପରେ ସେଥିରେ ପାନମଧୁରୀ, ଗୁଆଘିଅ ପକାଇ ପାଣିକୁ ଫୁଟିବାକୁ ଛାଡିବେ । ପାଣି ଫୁଟିବା ପରେ ସେଥିରେ, ଅଳ୍ପ ଅଳ୍ପ ଆବଶ୍ୟକ ଅନୁଯାୟୀ ସୁଜି ପକାଇ ଗୋଳାଇବେ । ସୁଜିକୁ ଭଲଭାବେ ଗୋଳାଇ ଖଳି ପ୍ରସ୍ତୁତ କରିବେ । ତାପରେ ଗ୍ୟାସ ବନ୍ଦ କରି ଏହାକୁ ହାଲକା ଥଣ୍ଡା ହେବାକୁ ଛାଡିବେ । ତାପରେ ଗ୍ୟାସରେ ଆଉ ଏକ କଡେଇ ବସେଇ ସେଥିରେ ନଡିଆ କୋରା ଏବଂ ଚିନି ପକାଇ ମିକ୍ସ କରିବେ । ତାପରେ ସେଥିରେ କଟା କାଜୁ, କଟା ପିସ୍ତାବାଦାମ ପକାଇ, ଚିନି ମେଲ୍ଟ ହେବା ଯାଏଁ ମିକ୍ସ କରିବେ । ତାପରେ ସେଥିରେ ଗୁଜୁରାତି ଗୁଣ୍ଡ ପକାଇ ଗୋଳାଇ, ଗ୍ୟାସ୍ ବନ୍ଦ କରିବେ । ଏହାପରେ ପ୍ରସ୍ତୁତ କରିଥିବା ଖଳିରେ ଅଳ୍ପ ଘିଅ ମିଶାଇ ହାତରେ ଭଲଭାବେ ଚକଟି ଗୋଲ କରି,ମଝିରେ ପ୍ରସ୍ତୁତ କରିଥିବା ପୁର ଦେଇ ମୁହଁ ବନ୍ଦ କରି , ହାତ ପାପୁଲିରେ ଚାପି ଅଳ୍ପ ପତଲା କରିବେ । ଏହାପରେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବା ପରେ ସେଥିରେ ପ୍ରସ୍ତୁତ କରିଥିବା ପୁରଦିଆ କାକରା ପକାଇ ଛାଣିବେ । ଦେଖିବେ ଉଭୟ ପାଖ ଗୋଲ୍ଡେନ କଲର ହେବାପରେ ,ଏକ ପ୍ଲେଟକୁ କାଢିବେ । ପ୍ରସ୍ତୁତ ହୋଇଗଲା ପୁରଦିଆ କାକରା ପିଠା । ଏହାକୁ ଯେ କୌଣସି ପର୍ବପର୍ବାଣୀ, କିମ୍ବା ଖାଲି ଦିନରେ ମଧ୍ୟ ଖାଇ ପାରିବେ ।
Powered by Froala Editor