ଓସ୍କାର ପାଇଁ ମନୋନୀତ ହେଲା ଫିଲ୍ମ ‘Homebound’

ଫିଲ୍ମ ଫେଡେରେଶନ ଅଫ୍ ଇଣ୍ଡିଆ (ଏଫ୍ଏଫ୍ଆଇ) ଦ୍ୱାରା କୋଲକାତାରେ ଆୟୋଜିତ ଏକ ପ୍ରେସ କନଫରେନ୍ସରେ ୯୮ତମ ଓସ୍କାର ପୁରସ୍କାର ପାଇଁ ଅନ୍ତର୍ଜାତୀୟ ଫିଚର ଫିଲ୍ମ ବିଭାଗରେ ଚଳଚ୍ଚିତ୍ର ‘ହୋମବାଉଣ୍ଡ’କୁ ଚୟନ କରାଯାଇଛି। ଏହା ଭାରତୀୟ ସିନେମା ପାଇଁ ବିଶ୍ୱ ମଞ୍ଚରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ହେବ।
ଫିଲ୍ମ ଫେଡେରେସନ ଅଫ୍ ଇଣ୍ଡିଆ (FFI) କୋଲକାତାରେ ଘୋଷଣା କରିଛି ଯେ ନିର୍ଦ୍ଦେଶକ ନୀରଜ ଘୈୱାନଙ୍କ ଫିଲ୍ମ "ହୋମବାଉଣ୍ଡ" ଆନ୍ତର୍ଜାତୀୟ ଫିଚର ଫିଲ୍ମ ବର୍ଗ ପାଇଁ ମନୋନୀତ ହୋଇଛି। କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ, "ହୋମବାଉଣ୍ଡ" ରେ ବିଶାଲ ଜେଠୱା, ଈଶାନ ଖଟ୍ଟର ଏବଂ ଜାହ୍ନବୀ କପୁର ଅଭିନୟ କରିଛନ୍ତି। ଏହି ଫିଲ୍ମ ୨୬ ସେପ୍ଟେମ୍ବର ୨୦୨୫ରେ ମୁକ୍ତିଲାଭ କରିବ।
କୋଲକାତାର ପ୍ରତିଷ୍ଠିତ ଗ୍ଲୋବ ସିନେମାରେ ଅନୁଷ୍ଠିତ ଏହି ପ୍ରେସ କନଫରେନ୍ସରେ ୧୪ ଜଣ ଜୁରୀ ସଦସ୍ୟ ଉପସ୍ଥିତ ଥିଲେ। ଏହି ଜୁରୀ ପ୍ୟାନେଲରେ ଏନ ଚନ୍ଦ୍ରା (ଅଧ୍ୟକ୍ଷ), ରଣବୀର ପୁଷ୍ପ ଏବଂ ଏଞ୍ଜେଲିକା ମୋନିକା ଆଦି ସାମିଲ ଥିଲେ। ଦେଶବ୍ୟାପୀ ବିଭିନ୍ନ ଚଳଚ୍ଚିତ୍ର ମଧ୍ୟରୁ ୨୪ଟି ଫିଲ୍ମକୁ ସର୍ଟଲିଷ୍ଟ କରାଯାଇ ଅନ୍ତିମ ଭାବେ ‘ହୋମବାଉଣ୍ଡ’କୁ ଓସ୍କାର ପାଇଁ ଚୟନ କରାଗଲା। ନୀରଜ ଘୟୱାନଙ୍କ ନିର୍ଦ୍ଦେଶିତ ‘ହୋମବାଉଣ୍ଡ’ ଚଳଚ୍ଚିତ୍ରଟି କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଖୁବ ପ୍ରଶଂସା ଲାଭ କରିଥିଲା।
ଭାରତ ୧୯୫୭ ମସିହାରୁ ଓସ୍କାର ପାଇଁ ଚଳଚ୍ଚିତ୍ର ଦାଖଲ କରିଆସୁଛି। ଗତ ବର୍ଷ, କିରଣ ରାଓଙ୍କ "ମିସିଂ ଲେଡିଜ୍"କୁ ଚୟନ କରାଯାଇଥିଲା। ଯଦିଓ ଏହା ଶ୍ରେଷ୍ଠ ୧୫ ତାଲିକାରେ ସ୍ଥାନ ପାଇନଥିଲା, ତଥାପି ଏହା ଯଥେଷ୍ଟ ଅନ୍ତର୍ଜାତୀୟ ପ୍ରଶଂସା ପାଇଥିଲା। ଏବେ, ସମସ୍ତଙ୍କ ନଜର "ହୋମବାଉଣ୍ଡ" ଉପରେ ରହିଛି।
Powered by Froala Editor