ଦୁଇ ଭାଇଙ୍କ ଘରୁ ଲୁଟିନେଲେ ଦୁର୍ବୁତ୍ତ
ବାଲେଶ୍ୱର: ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ସାରଗାଁ ଗ୍ରାମରେ ବଡଧରଣର ଲୁଟ ହୋଇଛି l ଘରେ କେହି ନ ଥିବାର ସୁଯୋଗ ନେଇ ଦୁଇ ଭାଇଙ୍କ ଘରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ନଗଦ ୫.୪୫ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି l ବଡଭାଇ ଅରୁଣ ଦାସ ସକାଳେ ଝିଅକୁ ଚିକିତ୍ସା ପାଇଁ ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲକୁ ଯାଇଥିଲେ l ଅପରାହ୍ନରେ ଘରକୁ ଫେରି ଘରର ତାଲା ଭଙ୍ଗା ଯାଇଥିବା ଦେଖିଥିଲେ l ଘରେ ଆଲମିରା ଭାଙ୍ଗି ଦୁଇଟି ସୁନା ହାର, ଦୁଇ ହଳ ସୁନା କାନଫୁଲ ଓ ଏକ ହଳ ସୁନା ପଲା ସହ ନଗଦ ୫ ହଜାର ଟଙ୍କା ଲୁଟ ହୋଇଥିବା ଦେଖିଥିଲେ l ଏଥିସହ ତଳ ମହଲାରେ ରହୁଥିବା ସାନଭାଇ ତରୁଣ ଦାସଙ୍କ ଘରର ତାଲା ଭାଙ୍ଗି ନଗଦ ୫.୪୦ ଲକ୍ଷ ଟଙ୍କା ସହ ଦୁଇଟି ସୁନାହାର ଓ ଏକ ହଳ ସୁନା କାନଫୁଲ ଲୁଟ ହୋଇଥିବା ଅଭିଯୋଗ ହୋଇଛି l ଏ ସମ୍ପର୍କରେ ପୋଲିସ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି l
Powered by Froala Editor