ଆଗାମୀ କଂଗ୍ରେସକୁ ସଶକ୍ତ କଂଗ୍ରେସ ବୋଲି ବର୍ଣ୍ଣନା କରି ଏହା କହିଲେ ପିସିସି ସଭାପତି
ଭୁବନେଶ୍ୱର: ଓଡ଼ିଶାରେ ଆଗାମୀ ଦିନରେ କଂଗ୍ରେସ ହିଁ ଜନତାଙ୍କ ଏକମାତ୍ର ବିକଳ୍ପ ଦଳ ବୋଲି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି। ଆଗାମୀ କଂଗ୍ରେସକୁ ସଶକ୍ତ କଂଗ୍ରେସ ବୋଲି ବର୍ଣ୍ଣନା କରି ପିସିସି ସଭାପତି କହିଛନ୍ତି ଯେ, ଦେଶରେ ସମ୍ବିଧାନ, ଭୋଟ ଚୋରି, ନାରୀ ନ୍ୟାୟ ଆଦି ବିଷୟକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜନତାଙ୍କ ପାଖକୁ ଯାଉଛନ୍ତି। ଆମେ ମଧ୍ୟ ପ୍ରଦେଶସ୍ତରରେ ରାହୁଲଙ୍କ ବାର୍ତ୍ତା ଯେଭଳି ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ଆବଶ୍ୟକ ସମସ୍ତ ପ୍ରୟାସ କରୁଛୁ। ତାଙ୍କର ଏହି ପ୍ରୟାସ ବର୍ତ୍ତମାନ ଏକ ଜନ ଜାଗରଣର ରୂପ ନେବାକୁ ବସିଲାଣି।
ସଙ୍ଗଠନ ସୃଜନ ଅଭିଯାନ ରାହୁଲଙ୍କ ଏକ ଅନନ୍ୟ ପ୍ରୟାସ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ତୃଣମୂଳସ୍ତରରେ ଜିଲା ସଭାପତି ମନୋନୟନ କାର୍ଯ୍ୟକ୍ରମ ସାରା ଓଡ଼ିଶାରେ ଚାଲିଛି।
କଂଗ୍ରେସ ଦଳର ୩୫ଟି ସାଙ୍ଗଠନିକ ଜିଲା ପାଇଁ ଏଆଇସିସିରୁ ଜଣେ ଏବଂ ପିସିସିରୁ ତିନିଜଣ ଏଭଳି ଚାରିଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ଏହି ସଙ୍ଗଠନ ସୃଜନ କାର୍ଯ୍ୟକ୍ରମ ଜିଲାରୁ ବ୍ଲକସ୍ତର ପର୍ଯ୍ୟନ୍ତ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଏକ ଅପୂର୍ବ ଉତ୍ସାହ ପରିଲକ୍ଷିତ ହେଉଛି, ଯାହା କଂଗ୍ରେସ ଦଳର ଭବିଷ୍ୟତ ପାଇଁ ଅତି ଶୁଭଙ୍କର। ଏହି ପ୍ରକ୍ରିୟାକୁ ଦଳର ଅଗଣିତ ନେତା ଓ କର୍ମୀ ଯେଭଳି ଉତ୍ସବମୁଖର କରୁଛନ୍ତି, ତାହା ସାଧାରଣ ଜନତାଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଉଛି। ଆଗାମୀ ୧୪ ତାରିଖରେ ସଙ୍ଗଠନ ସୃଜନ କାର୍ଯ୍ୟକ୍ରମର ପରିସମାପ୍ତି ହୋଇ ପ୍ରତ୍ୟେକ ସାଙ୍ଗଠନିକ ଜିଲା ପାଇଁ ସଭାପତି ନିଯୁକ୍ତି ହେବ।
Powered by Froala Editor