୧୩ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା
ଭୁବନେଶ୍ୱର: ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତ ସମ୍ଭାବନା ରହିଛି। ବିଶେଷ କରି ୧୧ ତାରିଖ ଦିନ କେନ୍ଦୁଝର, ମୟୂରଭଞ୍ଜ ଏବଂ ୧୨ତାରିଖରେ ରାୟଗଡ଼ା ଓ କୋରାପୁଟ ଜିଲାର କିଛି ଅଞ୍ଚଳରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏସମ୍ବନ୍ଧରେ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ଗତ ୨୪ଘଣ୍ଟା ମଧ୍ୟରେ ଢେଙ୍କାନାଳ, କନ୍ଧମାଳ, କଟକ, ଅନୁଗୋଳ, ବରଗଡ଼, କେନ୍ଦୁଝର, କଳାହାଣ୍ଡି, ଗଞ୍ଜାମ ଏବଂ ରାୟଗଡ଼ା ଜିଲାର କିଛି ଅଞ୍ଚଳରେ ବର୍ଷା ହୋଇଛି। ଢେଙ୍କାନାଳର ଭୁବନରେ ସବୁଠୁ ଅଧିକ ୧୧୨ମି.ମି. ବର୍ଷା ହୋଇଥିବାବେଳେ ଗଁଦିଆରେ ୫୭ ଏବଂ କନ୍ଧମାଳର କୋଟଗଡ଼ରେ ୭୧ମି.ମି. ବର୍ଷା ହୋଇଛି। ଆଜି ଭୁବନେଶ୍ବର, ଗୋପାଳପୁର, ଭବାନୀପାଟଣା, ବଲାଙ୍ଗିର, କୋରାପୁଟ ଆଦି ଜିଲାଗୁଡ଼ିକରେ ବର୍ଷା ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା ଏବଂ ଗଜପତି ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଏବଂ ଘଣ୍ଟା ପ୍ରତି ଝଟକା ପବନ ୩୦ରୁ ୪୦କି.ମି. ବେଗରେ ବହିବା ସମ୍ଭାବନା ରହିଛି। ଏଥିସହିତ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଜିଲାର କେତେକ ଅଞ୍ଚଳରେ ଘଣ୍ଟା ପ୍ରତି ଝଟକା ପବନର ବେଗ ୩୦ରୁ ୪୦କି.ମି. ବହିବା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି।
Powered by Froala Editor