ଓଡ଼ିଶାରେ ଆରମ୍ଭରୁ ଶେଷ ଯାଏଁ ଦୃଶ୍ୟମାନ ହେଲା ଚନ୍ଦ୍ର ଗ୍ରହଣ
ଭୁବନେଶ୍ବର: ଚଳିତ ବର୍ଷର ଦ୍ୱିତୀୟ ତଥା ଶେଷ ଚନ୍ଦ୍ର ଗ୍ରହଣ ରାତି ୯ଟା ୫୭ ମିନିଟ୍ ୨୨ସେକେଣ୍ଡରୁ ସ୍ପର୍ଶ ହୋଇଛି। ରାତି ଗୋଟାଏ ୨୬ ମିନିଟ୍ ୧୭ ସେକେଣ୍ଡରେ ସର୍ବମୋକ୍ଷ ହୋଇଛି। ସାଢ଼େ ତିନି ଘଣ୍ଟା ପର୍ଯ୍ୟନ୍ତ ଚନ୍ଦ୍ରଗ୍ରହଣ ଚାଲିଥିବାବେଳେ ଗ୍ରହଣ ସ୍ପର୍ଶର ୯ଘଣ୍ଟା ପୂର୍ବରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ କରାଯାଇଥିଲା। ଚନ୍ଦ୍ରଗ୍ରହଣ ଯୋଗୁଁ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ଭାଦ୍ରବ ଶୁକ୍ଳପକ୍ଷ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡ଼ିଥିବାବେଳେ ରାତିରେ ଆକାଶରେ ଖାଲି ଆଖିରେ ଦେଖାଯାଇଛି ଏହି ମହାଜାଗତିକ ଦୃଶ୍ୟ।
ରାତି ୧୧ଟାରୁ ୧୨ଟା ୨୨ମିନିଟ୍ ପର୍ଯ୍ୟନ୍ତ ୧ ଘଣ୍ଟା ୨୨ମିନିଟ୍ ଧରି ପୂର୍ଣ୍ଣ ଗ୍ରହଣ ରହିଥିଲା। ସେ ସମୟରେ ଚନ୍ଦ୍ର ଲାଲ୍ ରଙ୍ଗର ଦେଖାଯାଇଥିଲା। ଏହା ରାତି ୯ଟା ୫୭ ମିନିଟ୍ରୁ ଆରମ୍ଭ ହୋଇ ଚନ୍ଦ୍ର ଛାୟାରେ ପ୍ରବେଶ କରିଥିଲା। ରାତି ୧୧ଟା ସମୟରୁ ୧୨ଟା ୨୨ମିନିଟ୍ ଯାଏଁ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଘଟିଥିଲା। ସେହିପରି ଚନ୍ଦ୍ରଛାୟାରୁ ବାହାରିବା ଆରମ୍ଭ କରିଥିଲା ରାତି ୧୨ଟା ୨୨ମିନିଟ୍ରେ। ଚନ୍ଦ୍ରଛାୟାରୁ ପୂରା ବାହାରି ଯାଇଥିଲା ୧ଟା ୨୬ମିନିଟ୍ ସମୟରେ। ଏହା ଏସିଆ, ଅେଷ୍ଟ୍ରଲିଆ, ଆଫ୍ରିକା ଏବଂ ଆମେରିକା ତଥା ୟୁରୋପର କିଛି ଅଞ୍ଚଳରେ ଦୃଶ୍ୟମାନ ହୋଇଥିଲା। ଭାରତ ତଥା ଓଡ଼ିଶାକୁ ଏହା ଆରମ୍ଭରୁ ଶେଷ ଯାଏଁ ଦୃଶ୍ୟମାନ ହୋଇଥିଲା।
ଆକାଶ ମେଘମୁକ୍ତ ରହିଥିବାରୁ ଓଡ଼ିଶା ତଥା ଭାରତର ସବୁ ଅଞ୍ଚଳରୁ ଏହା ଖାଲି ଆଖିରେ ଦେଖି ହୋଇଥିଲା। ଅନ୍ୟପଟେ ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ଗୁରୁତ୍ବପୂର୍ଣ୍ଣ ମାନ୍ୟତା ଦିଆଯାଏ। ଆଜିଠୁ ପିତୃଶ୍ରାଦ୍ଧ ଆରମ୍ଭ ହେଉଥିବାରୁ ଗ୍ରହଣ ସ୍ପର୍ଶ ପୂର୍ବରୁ ଶ୍ରାଦ୍ଧ ଓ ଦେବନୀତି ସମ୍ପନ୍ନ ହୋଇଛି।
Powered by Froala Editor