ସୁଭଦ୍ରା ଯୋଜନାରୁ ବାଦ୍ ପଡିବେ ଅଯୋଗ୍ୟ ହିତାଧିକାରୀ
ଭୁବନେଶ୍ବର: ଅଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରୁ ବାଦ୍ ଦିଆଯିବ। ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବ। ଏଥିପାଇଁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଭିନ୍ନ ବିଭାଗକୁ କୁହାଯାଇଛି। ସୁଭଦ୍ରା ଯୋଜନାକୁ ନେଇ ଅନୁଷ୍ଠିତ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁସାରେ ଏଥିରେ ସାମିଲ ମହିଳାଙ୍କ ମଧ୍ୟରୁ କେତେଜଣଙ୍କର ଚାରିଚକିଆ ଯାନ ରହିଛି, ତା’ର ବିବରଣୀ ବାହନ ଡାଟାବେସ୍ରୁ ବାହାର କରିବା ପାଇଁ ପରିବହନ ବିଭାଗକୁ କୁହାଯାଇଛି। ସେଥିପାଇଁ ପରିବହନ ବିଭାଗକୁ ସୁଭଦ୍ରା ହିତାଧିକାରୀଙ୍କ ତାଲିକା ଯୋଗାଇ ଦିଆଯିବ। ସେହିପରି ଇତିମଧ୍ୟରେ ୨୫୦ ଜଣ ହିତାଧିକାରୀଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରକୃତରେ କେତେଜଣ ପ୍ରାଣ ହରାଇଛନ୍ତି ଏବଂ ଆଉ କେତେ ଜୀବିତ ଅଛନ୍ତି ତା’ର ଅନୁସନ୍ଧାନ ଦାୟିତ୍ବ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ପ୍ରଦାନ କରାଯାଇଛି। ଏହି ବିଭାଗ ଜନ୍ମ ମୃତ୍ୟୁ ପଞ୍ଜୀକରଣ ତଥ୍ୟ ମଧ୍ୟ ପ୍ରଦାନ କରିବ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସ୍ପଷ୍ଟ କରିବ ସୁଭଦ୍ରା ହିତାଧିକାରୀଙ୍କ ପ୍ରକୃତ ଆୟ କେତେ। ଏହି ବିଭାଗ ମୃତ ହିତାଧିକାରୀଙ୍କ ତଥ୍ୟ ତନ୍ନ ତନ୍ନ କରି ଯାଞ୍ଚ କରିବ। ଏହି ତଦନ୍ତ ପ୍ରକ୍ରିୟାରେ ସମସ୍ତ ବିଭାଗକୁ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (ଓକାକ୍) ପକ୍ଷରୁ ହିତାଧିକାରୀଙ୍କ ଆବଶ୍ୟକ ତଥ୍ୟ ଯୋଗାଇ ଦିଆଯିବ। ଯଥାଶୀଘ୍ର ଅନୁସନ୍ଧାନ ଶେଷ କରି ରିପୋର୍ଟ ଦାଖଲ କରିବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ କୁହାଯାଇଛି।
Powered by Froala Editor