ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର

ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ଅଞ୍ଚଳ ସମେତ ଉପର ମୁଣ୍ଡରେ ଅତି ପ୍ରବଳ ବର୍ଷା ଯୋଗୁଁ ବୈତରଣୀ, ବ୍ରାହ୍ମଣୀ ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ୁଛି। ଆଖୁଆପଦାରେ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସୁବର୍ଣ୍ଣରେଖା ଜାମଶୋଳାଘାଟରେ ବିପଦ ସଙ୍କେତ ଟପିଛି। ବ୍ରାହ୍ମଣୀ ପାନପୋଷ ପାଖରେ ବିପଦ ସଙ୍କେତ ନିକଟତର ହୋଇଛି। ଏହି ନଦୀଗୁଡ଼ିକ ଜଳସ୍ତର ବଢ଼ୁଥିବାରୁ ଉତ୍ତର ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଈଛି।
ଆସନ୍ତା ୨୫ତାରିଖ ସୁଦ୍ଧା ପୁଣି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଉତ୍ତର ଓଡ଼ିଶାର ଜିଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଏବଂ ଜଳକା ଆହୁରି ଫୁଲିବାର ସମ୍ଭାବନା ରହିଛି। ସମ୍ପୃକ୍ତ ନଦୀଗୁଡ଼ିକର ତଳିଆ ଅଞ୍ଚଳରେ ବନ୍ୟା ଆସିବାର ଆଶଙ୍କା କରାଯାଉଛି। ଶୁକ୍ରବାର ଉତ୍ତର ଓଡ଼ିଶା ଓ ତତ୍ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ତା’ର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ, ସମ୍ବଲପୁର, କେନ୍ଦୁଝର, ଅନୁଗୋଳ, ସୁବର୍ଣ୍ଣପୁର ଏବଂ ଢେଙ୍କାନାଳ ଜିଲାର ଅନେକ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହୋଇଛି।
ସମ୍ବଲପୁରର ନାକଟିଦେଉଳରେ ସର୍ବାଧିକ ୧୩୫ ମି.ମି. ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜର ବିଜିତଳାରେ ୧୨୨, ତିରିଂରେ ୧୧୮.୮ ଏବଂ ଜାମଡ଼ାରେ ୧୦୫, କେନ୍ଦୁଝରର ବାଂଶପାଳରେ ୧୦୬.୨ ଏବଂ ତେଲକୋଇରେ ୧୦୨ମି.ମି ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁ ବୈତରଣୀ ଓ ସୁବର୍ଣ୍ଣରେଖା ଜଳସ୍ତର ବୃଦ୍ଧି ପାଇଛି। ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ଆଖୁଆପଦାଠାରେ ବୈତରଣୀ ୧୮.୫୫ ମିଟରରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ୧୮.୩୩ମିଟର ରହିଛି। ଆନନ୍ଦପୁରରେ ଜଳସ୍ତର ୩୭.୭ମିଟର ଥିବା ବେଳେ ବିପଦ ସଙ୍କେତ ୩୮.୩୬ମିଟର ରହିଛି। ଅନୁରୂପ ଭାବେ ସୁବର୍ଣ୍ଣରେଖା ବଢ଼ିବାରେ ଲାଗିଛି। ଜାମଶୋଳାଘାଟରେ ସୁବର୍ଣ୍ଣରେଖାର ବିପଦ ସଙ୍କେତ ୪୯.୧୬ମିଟର ଥିବାବେଳେ ସନ୍ଧ୍ୟା ୬ଟା ସୁଦ୍ଧା ଜଳସ୍ତର ୫୧.୪୮ମିଟର ଥିଲା। ବ୍ରାହ୍ମଣୀର ଜେନାପୁରଠାରେ ବିପଦ ସଙ୍କେତ ୨୩ ମିଟର ଥିବାବେଳେ ଜଳସ୍ତର ୨୦.୦୬ମିଟର ରହିଛି। ପାନପୋଷରେ ବିପଦ ସଙ୍କେତ ୧୭୮.୪୨ମିଟର ଥିବାବେଳେ ୧୭୫.୪୧ମିଟରରେ ଜଳ ପ୍ରବାହିତ ହେଉଛି। ବୈତରଣୀ ଏବଂ ସୁବର୍ଣ୍ଣରେଖାରେ ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି।
Powered by Froala Editor