'କେନ୍ଦୁଝର ଇସ୍ପାତ କାରଖାନା ଜିଲା ଓ ସମୃଦ୍ଧ ଓଡ଼ିଶାର ଭବିଷ୍ୟତ ନିର୍ମାଣ କରିବ'

ଭୁବନେଶ୍ୱର, : ଦକ୍ଷିଣ କୋରିଆର ଖ୍ୟାତନାମା କମ୍ପାନୀ ପୋସ୍କୋ ଏବଂ ଭାରତର ଜେଏସଡବ୍ଲ୍ୟୁର ମିଳିତ ଆନୁକୂଲ୍ୟରେ କେନ୍ଦୁଝର ଜିଲାର ପାଟଣାଠାରେ ରାଜ୍ୟର ଦ୍ବିତୀୟ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି। କେନ୍ଦୁଝର ଜିଲାବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ବାସ୍ତବ ରୂପ ନେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଖଣିବହୁଳ କେନ୍ଦୁଝର ଜିଲା ସମୃଦ୍ଧ ହେଲେ ଓଡ଼ିଶା ସମୃଦ୍ଧ ହେବ। ଇସ୍ପାତ କାରଖାନା ଦାବି କେନ୍ଦୁଝରବାସୀଙ୍କର ସବୁଠୁ ପୁରୁଣା ଓ ବଡ଼ ଦାବି ଥିଲା। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଖଣିବହୁଳ ରାଜ୍ୟରେ ଚାରୋଟି ମେଗା ଷ୍ଟିଲ୍ ପ୍ଲାଣ୍ଟ ସ୍ଥାପନ ପାଇଁ ଘୋଷଣା କରିଥିଲେ। ତିନୋଟି ଇସ୍ପାତ କାରଖାନା ପ୍ରତିଷ୍ଠା ସରିଛି; କିନ୍ତୁ ଇଚ୍ଛାଶକ୍ତିର ଅଭାବରୁ ଓଡ଼ିଶା ଏଥିରୁ ବଞ୍ଚିତ ଥିଲା। ଡବଲ ଇଞ୍ଜିନ ସରକାରଙ୍କ ଯୋଗୁଁ ଆଜି ବିଶ୍ୱର ବୃହତ ଇସ୍ପାତ ଉତ୍ପାଦନକାରୀ କମ୍ପାନୀ ପକ୍ଷରୁ ଏହା ସ୍ଥାପନ ହେବାକୁ ଯାଉଛି। ଏହି ଇସ୍ପାତ କାରଖାନା କେନ୍ଦୁଝର ଜିଲା ଓ ସମୃଦ୍ଧ ଓଡ଼ିଶାର ଭବିଷ୍ୟତ ନିର୍ମାଣ କରିବ। ଆଗାମୀ ଦିନରେ ପାଟଣା ଅଞ୍ଚଳ ମଧ୍ୟ ରାଉରକେଲା ଭଳି ଏକ ଅତ୍ୟାଧୁନିକ ସହରରେ ପରିଣତ ହେବ। ଏହି ପରିପ୍ରେକ୍ଷୀରେ ଗୁରୁବାର କେନ୍ଦୁଝର ଜିଲାର
ପ୍ରାୟ ସମସ୍ତ ଅଞ୍ଚଳର ଆଦିବାସୀ ମଞ୍ଚ, ଯୁବ ଛାତ୍ରସାମ୍ମୁଖ୍ୟ, ନାଗରିକ ମଞ୍ଚ, ପ୍ରେସ୍ କ୍ଲବ, ବୁଦ୍ଧିଜୀବୀ ଓ ଅନ୍ୟାନ୍ୟ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟ, ସ୍ଥାନୀୟ ଜନପ୍ରତିନିଧିମାନେ ହଜାର ହଜାର ସଂଖ୍ୟାରେ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀଙ୍କୁ ସମ୍ୱର୍ଦ୍ଧନା ଓ ଧନ୍ୟବାଦ ଅର୍ପଣ କରିଛନ୍ତି।
Powered by Froala Editor