ସେପ୍ଟେମ୍ବର ୧୫ ରୁ ପୁନର୍ବାର ଧାଡ଼ି ଦର୍ଶନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ: ଆଇନମନ୍ତ୍ରୀ
ପୁରୀ: ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଭିଡ଼ରୁ ମୁକ୍ତି ପାଇଁ ଧାଡ଼ି ଦର୍ଶନର ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ। ଇତିମଧ୍ୟରେ ୧୦ ମାସ ବିତିଗଲାଣି। ରାଜ୍ୟ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆସନ୍ତା ସେପ୍ଟେମ୍ବର ୧୫ ରୁ ପୁନର୍ବାର ଧାଡ଼ି ଦର୍ଶନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତ ଠେଲାପେଲାରେ ଆହତ ହେବା ସହ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ନୂତନ ସରକାର ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦୀର୍ଘ ୧୦ମାସ ପରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ ହୋଇପାରି ନାହିଁ। ଶ୍ରୀମନ୍ଦିର ବାହାରେ ଭିଡ଼ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରବେଶ ଏବଂ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁମାନେ କେବଳ ସିଂହଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରି ପାରିବେ ଓ ସିଂହଦ୍ବାରକୁ ଛାଡ଼ି ଅନ୍ୟ ୩ଦ୍ବାରରେ ପ୍ରସ୍ଥାନ କରିବା ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ସାତପାହାଚ ଦେଇ ପ୍ରବେଶ କରି ଘଣ୍ଟିଦ୍ୱାର ଦେଇ ପ୍ରସ୍ଥାନ କରିବେ। ସମୁଦାୟ ୬ଟି ଧାଡ଼ିରେ ଭକ୍ତମାନେ ପ୍ରବେଶ କରିବା ସହ କାଠ ବ୍ୟାରିକେଡ଼ ଦେଇ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିବେ ବୋଲି କୁହାଯାଇଥିଲା। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରୁନି।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହେବାକୁ ଥିବା ରାମ୍ପ ବ୍ୟବସ୍ଥା ବ୍ୟବହାର ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ି ଚାଲିଛି। ଏଥିପାଇଁ ବାରମ୍ବାର ତାରିଖ ଘୋଷଣା ହେବା ଏବଂ ପରେ ସ୍ଥଗିତ ରଖାଯିବା ଦ୍ବାରା ଭକ୍ତ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାରୁ ବଞ୍ଚିତ ହୋଇଛନ୍ତି। ଧାଡ଼ି ଦର୍ଶନ ବ୍ୟବସ୍ଥା ପାଇଁ ଗତ ୮ମାସ ହେଲା ଭୁବନେଶ୍ବର ନୂଆପଲ୍ଲୀରେ ପ୍ରାୟ ଦେଢ଼କୋଟି ଟଙ୍କାର କାଠ ରାମ୍ପ ନିର୍ମାଣ ହୋଇ ରକ୍ଷଣାବେକ୍ଷଣ ଅଭାବରୁ ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ସୂଚନା ମିଳିଛି। ଧାଡ଼ି ବ୍ୟବସ୍ଥା ଲାଗୁ ପରେ ଗୋଟିଏ ପରିବାରର ମହିଳା ଏବଂ ପୁରୁଷ କିଭଳି ବିଭିନ୍ନ ଧାଡ଼ିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ, ସେନେଇ ସନ୍ଦେହ ପ୍ରକାଶ ପାଇଛି।
Powered by Froala Editor