ଲଘୁଚାପ କ୍ଷେତ୍ର ସୃଷ୍ଟି: ଅତିପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଉତ୍ତରଆନ୍ଧ୍ର ଓ ଦକ୍ଷିଣ ଓଡିଶା ଉପକୁଳସ୍ଥ ସମୁଦ୍ର ମଧ୍ୟରେ ରବିବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଅବପାତ ନେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୦ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସୋମବାର ଓ ମଙ୍ଗଳବାର ଅତିପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ଅଞ୍ଚଳରେ ବର୍ଷା ହେଉଛି। ଭୁବନେଶ୍ବର ସହିତ କଟକ, ଢେଙ୍କାନାଳ, ରାୟଗଡ଼ା, ମୟୂରଭଞ୍ଜ, ପୁରୀ ଏବଂ ବାଲେଶ୍ବର ଆଦି ଜିଲାଗୁଡ଼ିକରେ ବର୍ଷା ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ କୋରାପୁଟ ଏବଂ ମାଲକାନଗିରି ଜିଲାରେ ବିଜୁଳି ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ଏବଂ ଘଣ୍ଟାପ୍ରତି ୩୦ରୁ ୪୦କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ଉକ୍ତ ଦୁଇଟି ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗୁପର ଏବଂ ରାୟଗଡ଼ା ଜିଲାକୁ ବଜ୍ରପାତ ସହିତ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ସମ୍ପୃକ୍ତ ଜିଲାର ଜିଲାପାଳମାନେ ସତର୍କ ରହିବାକୁ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି।
Powered by Froala Editor